fbpx
BSKY
BJD MC SKY
BJD YOUTH SKY

କେନ୍ଦ୍ର ସରକାରଙ୍କ ମେଗା ଭର୍ତ୍ତି ଅଭିଯାନ, ଏ ପର୍ଯ୍ୟନ୍ତ ୪ ଲକ୍ଷଙ୍କୁ ନିଯୁକ୍ତି ମିଳିଥିବା ବେଳେ ବର୍ଷ ଶେଷ ସୁଦ୍ଧା ମୋଟ ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ସରକାରୀ ସୁଚନା ଅନୁଯାୟୀ ୨୦୨୩ ଶେଷ ସୁଦ୍ଧା ୧୦ ଲକ୍ଷ ପଦବୀରେ ନିଯୁକ୍ତି ଲାଗି ସରକାର ସାମୁହିକ ଭର୍ତ୍ତି ଅଭିଯାନ (ମିଶନ ରିକ୍ରୁଇଟମେଣ୍ଟ) ଜରିଆରେ ଏ ପର୍ଯ୍ୟନ୍ତ ଚାକିରି ପାଇଥିବା ପ୍ରତି ୬ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୬ ଗୋଟି ରୋଜଗାର ମେଳାର ଆୟୋଜନ କରିସାରିଛନ୍ତି । ଏହା ଜରିଆରେ ୪,୩୦, ୫୪୬ ପ୍ରାର୍ଥୀଙ୍କୁ କ୍ଲର୍କ, ଟାଇପିଷ୍ଟ, ଟିଚର, ଡାକ୍ତର ପଦବୀରେ ଚାକିରି ଦିଆଯାଇପାରିଛି ।

ଏକ ରିପୋର୍ଟରୁ ଜଣାଯାଇଛି ଯେଉଁମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରେ ୮୪ ପ୍ରତିଶତ ପୁରୁଷ ଓ ୧୬ ପ୍ରତିଶତ ମହିଳା ରହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ବର୍ଷ ଜୁନ୍ରେ ପ୍ରଧାନମନ୍ତ୍ରୀ ମୋଦୀ ୧୮ ମାସ ମଧ୍ୟରେ ୧୦ ଲକ୍ଷ ଖାଲି ପଦବୀ ପୂରଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସରକାରଙ୍କ ବହୁ ବିଭାଗରେ ମେଗା ଭର୍ତ୍ତି ଅଭିଯାନ ଆରମ୍ଭ ହୋଇଥିଲା ।

କେନ୍ଦ୍ର ସରକାରଙ୍କ ନିଯୁକ୍ତି ମଧ୍ୟରେ ଅଧିକାଂଶ ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟରେ ଲୋକଙ୍କୁ ନିଯୁକ୍ତି ମିଳିଛି । ଏହା ସହିତ ଆର୍ଥିକ ସେବା ବିଭାଗ ଲାଗି ୩୩,୭୪୩ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗରେ ମଧ୍ୟ ନିଯୁକ୍ତି ମିଳିଛି । ତେବେ ଗ୍ରୁପ୍ ବି ଓ ଗ୍ରୁପ୍ ସି ସ୍ତରରେ ଅଧିକ ନିଯୁକ୍ତି ମିଳିଛି ।

ଏହି ସମସ୍ତ ନିଯୁକ୍ତି ପ୍ରକ୍ରିୟା ବେଶ୍ ସ୍ୱଚ୍ଛ ରହିଛି । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଏହି ସମସ୍ତ ନିଯୁକ୍ତି ଏସଏସସି, ୟୁପିଏସସି ଓ ଆରଆରବି ପରି ନିଯୁକ୍ତି ସଂସ୍ଥା ଜରିଆରେ କରାଯାଉଛି । ଏହିି ନିଯୁକ୍ତି ପ୍ରକ୍ରିୟାରେ ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହୋଇଛି ବୋଲି ଲୋକ ସଂପର୍କ ଓ ପେନସନ୍ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି । ଚୟନ ବିଶୁଦ୍ଧ ରୂପରେ ଲିଖିତ ପରୀକ୍ଷା ଆଧାରରେ କରାଯାଉଛି ଏବଂ କୌଶଳ ପରୀକ୍ଷାରେ କେବଳ କ୍ୱାଲିଫାଇଂ କରିବାକୁ ହୋଇଥାଏ ।

Get real time updates directly on you device, subscribe now.