fbpx

ବିଶ୍ୱକପରେ ଭାରତ ବିପକ୍ଷରେ ମୋଦୀ ଷ୍ଟାଡିୟମରେ ଖେଳିବାକୁ ପାକିସ୍ତାନ ଭୟ କରୁଛି: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସମସ୍ତେ ଅବଗତ । ତେବେ ଭାରତ-ପାକ ମଧ୍ୟରେ କ୍ରିକେଟ ମଇଦାନର ଲଢ଼େଇ ଦେଖିବାକୁ କେବଳ ଏହି ଦୁଇ ଦେଶର କ୍ରୀଡ଼ାପ୍ରେମୀ ନୁହନ୍ତି ବିଶ୍ୱବାସୀ ମଧ୍ୟ ଚାହିଁ ରହିଥାନ୍ତି । ଏହି ଦୁଇ ଦେଶର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ । ଦୁଇ ସିଂହ ମଧ୍ୟରେ ହେଉଥିବା ଲଢ଼େଇର ରେଜଲ୍ଟ ଶେଷ ବଲ ପର୍ଯ୍ୟନ୍ତ ଚାଲିଥାଏ । ଖାଲି ସେତିକି ନୁହେଁ, ବିଜୟ-ପରାଜୟ ପରେ ନିନ୍ଦା, ଅପନିନ୍ଦା, ଭଙ୍ଗାରୁଜା ଆଦି ଅନେକ ଘଟଣା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି ।

ତେବେ ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ । ଏକ ରିପୋର୍ଟ ମୁତାବକ, ବିଶ୍ୱକପରେ ପାକିସ୍ତାନ ଭାରତକୁ ଆସି ଖେଳିବା ନେଇ ଭୟ କରୁଛି । ବିଶ୍ୱକପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଚିନ୍ତା ପ୍ରକଟ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ନଜମ ସେଠୀ । ଭାରତ-ପାକିସ୍ତାନର ବିଶ୍ୱକପ ମ୍ୟାଚ ଚେନ୍ନାଇ ବା କୋଲକତାରେ ହେଲେ ତାହା ଅଧିକ ସୁରକ୍ଷା ପ୍ରଦାନ କରିବ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ସେଠୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରେ ଭାରତ-ପାକ ମଧ୍ୟରେ ବିଶ୍ୱକପ ୨୦୨୩ର ମ୍ୟାଚ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ସେପ୍ଟେମ୍ବରରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରେ ଭାରତ-ପାକ୍ ମ୍ୟାଚ ଏକ ନିରପେକ୍ଷ ସ୍ଥାନ ୟୁଏଇରେ ହେବା ନେଇ ମଧ୍ୟ ପିସିବି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହି ଦୁଇ ପ୍ରତିଦ୍ୱନ୍ଦୀ ଟିମ୍ କେବେ ପଡ଼ିଆରେ ମୁହାଁମୁହିଁ ହେବେ ତାହା ଦେଖିବାକୁ କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.