fbpx

୪୮ଟି ବିମାନ ବାତିଲ୍‌ କଲା ପାକିସ୍ତାନ ସରକାରୀ ଏୟାର୍‌ଲାଇନ୍‌, ଇନ୍ଧନ ଯୋଗାଣକାରୀ ସଂସ୍ଥାକୁ ଦେଇପାରିଲାନି ବକେୟା ଟଙ୍କା

AAKASH

ଇସଲାମବାଦ: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଦରଦାମ ଆଉ ଜମାରୁ ବି ନିୟନ୍ତ୍ରଣରେ ନାହିଁ। ଦେଶରେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ସହ ପନିପରିବା ଓ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି। ତେବେ ଏଭଳି ଘଡି ସନ୍ଧି ମୁହୂର୍ତ୍ତ ଭିତରେ ପାକିସ୍ତାନର ଆଉ ଏକ ଶୋଚନୀୟ ଅବସ୍ଥା ସାମ୍ନାକୁ ଆସିଛି । ଇନ୍ଧନ ଯୋଗାଣକାରୀ ସଂସ୍ଥାକୁ ବକେୟା ଟଙ୍କା ନ ଦେଇପାରିବାରୁ ଦେଶର ୪୮ଟି ବିମାନ ବନ୍ଦ ହୋଇଯାଇଛି ।

ସୂଚନା ମୁତାବକ, ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ପାକିସ୍ତାନ ଗଣମାଧ୍ୟମ ‘ଦି ଡନ୍‌’ ରିପୋର୍ଟ ପ୍ରକାଶ କରିଛି। ଦେଶ ମଧ୍ୟରେ ଚଳାଚଳ କରୁଥିବା ୮ଟି ଓ ବିଦେଶକୁ ଯାତ୍ରା କରୁଥିବା ୧୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ବାକି ୧୨ଟି ବିମାନ ଉଡ଼ାଣରେ ବିଳମ୍ବ କରାଯାଇଛି।

ବାତିଲ କରାଯାଇଥିବା ବିମାନଗୁଡ଼ିକର ଯାତ୍ରୀମାନଙ୍କୁ ବିକଳ୍ପ ବିମାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି, ବିମାନ ବନ୍ଦରକୁ ଆସିବା ପୂର୍ବରୁ ଯାତ୍ରୀମାନେ ‘ପିଆଇଏ’ର କଷ୍ଟମର୍‌ କେୟାର୍‌, ‘ପିଆଇଏ’ ଅଫିସ୍‌ ଅଥବା ସେମାନଙ୍କ ‘ଟ୍ରାଭେଲ୍‌ ଏଜେଣ୍ଟ୍‌’ମାନଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତି ବିଷୟରେ ଅବଗତ ହୁଅନ୍ତୁ ବୋଲି ସୂଚନା ପ୍ରକାଶ କରିଛି । ଏଥିରେ ‘ପିଆଇଏ’ର ଜଣେ ମୁଖପାତ୍ର ପାକିସ୍ତାନୀ ସମ୍ବାଦପତ୍ର ‘ଦି ଡନ୍‌’କୁ କହିଛନ୍ତି, ଦୈନିନ୍ଦିନ ବିମାନ ଚଳାଚଳ ପାଇଁ ସୀମିତ ପରିମାଣର ଇନ୍ଧନ ଓ ପରିଚାଳନାଗତ ସମସ୍ୟା ଥିବାରୁ ଏହି ବିମାନ ସବୁ ବାତିଲ କରାଯାଇଛି। କେତେକ ବିମାନର ଉଡ଼ାଣ ସମୟ ମଧ୍ୟ ପୁନର୍ନିର୍ଦ୍ଧାରଣ କରାଯାଇଛି। ତେବେ ପାକିସ୍ତାନର ଏଭଳି ଅବସ୍ଥା ଦେଖି ଲାଗୁଛି ଆଗକୁ ଆହୁରି ଅନେକ ବିମାନ ଚଳାଚଳ ବାତିଲ୍‌ କରିବ ପାକିସ୍ତାନ ।

Get real time updates directly on you device, subscribe now.