Champions Trophy ଆୟୋଜନ କରିବନି ପାକିସ୍ତାନ! ସରୁନି ଷ୍ଟାଡିୟମ କାମ, ପାଖେଇ ଆସୁଛି ଟୁର୍ଣ୍ଣାମେଣ୍ଟ
ପାକିସ୍ତାନ ହାତରୁ ଖସିଯିବ ଚମ୍ପିଆନ୍ସ ଟ୍ରଫି ଆୟୋଜନ ଦାୟିତ୍ୱ, ଷ୍ଟାଡିୟମ କାମ ନ ସରିବାରୁ ନାରାଜ ଆଇସିସି
ନୂଆଦିଲ୍ଲୀ: ପାକିସ୍ତାନରେ ଖେଳା ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାକିସ୍ତାନର ବିଭିନ୍ନ ଷ୍ଟାଡିୟମର ଉନ୍ନତିକରଣ କାମ ଧିମେଇ ଯାଇଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କାମ ଶେଷ ହେବାର ସମ୍ଭାବନା କମ ରହିଛି । ତେଣୁ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନରୁ ବାଦ ପଡ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ଏହି ରିପୋର୍ଟକୁ ଦେଖି ରାଗି ଯାଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି । ନବୀକରଣ କାମ ଦ୍ରୁତଗତିରେ ଚାଲିଛି ଓ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଷ୍ଟାଡିୟମଗୁଡ଼ିକ ସହ ଜଡ଼ିତ ସମସ୍ତ କାମ ଶେଷ ହୋଇଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି ।
ଚାଲିଛି ଷ୍ଟାଡିୟମ କାମ: ତେବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପାଇଁ ଷ୍ଟାଡିୟମଗୁଡ଼ିକ ନବୀକରଣ କରୁଛି । ଗତବର୍ଷ ଅଗଷ୍ଟ ୧ରୁ କାମ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୧ ସୁଦ୍ଧା ଏହା ସରିବାର ଥିଲା । କିନ୍ତୁ ଏଯାଏ କାମ ଶେଷ ହୋଇ ନଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।
ତଦାରଖ କରିବ ଆଇସିସି: ଖୁବଶୀଘ୍ର ଆଇସିସି ୩ଟି ଯାକ ଷ୍ଟାଡିୟମର ଯାଞ୍ଚ ପାଇଁ ଟିମ ପଠାଇବ । ଯଦି ଫେବୃଆରୀ ୧୨ରେ ଷ୍ଟାଡିୟମଗୁଡ଼ିକୁ ପିସିବି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସିକୁ ହସ୍ତାନ୍ତର ନ କରିବ, ତା’ହେଲେ ଚାମ୍ପିୟନ୍ସ ଟ୍ରଫି ୟୁଏଇକୁ ସ୍ଥାନାନ୍ତର ହୋଇଯିବ । ଏସବୁ ଭିତରେ ପିସିବି କହିଛି,ସବୁ କାମ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହୋଇଯିବ ।
କ’ଣ କହୁଛି ପିସିବି: ପାକିସ୍ତାନ ବେଶ ସଫଳତାର ସହ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବ । କୌଣସି ଗୁଜବ ଉପରେ ବିଶ୍ୱାସ କରିବାର ଆବଶ୍ୟକ ନାହିଁ । ଆମେ ଆମର ଶ୍ରେଷ୍ଠ ଦେବାକୁ ପ୍ରତିଶ୍ରୁତିବଦ୍ଧ ।
କିଛି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ପାକିସ୍ତାନକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ସମସ୍ତେ କିଏ, ସେକଥା ଆମେ ଜାଣିଛୁ । ସେମାନେ କାହିଁକି ଏସବୁ କରୁଛନ୍ତି, ସେକଥା ମଧ୍ୟ ଆମକୁ ଜଣା ।
ବୋର୍ଡ ବଦଳାଇଲା ସୂଚୀ: ଅନ୍ୟପକ୍ଷରେ ପିସିବି ବୁଧବାର ତ୍ରିପାକ୍ଷିକ ଦିନିକିଆ ସିରିଜର ଭେନ୍ୟୁକୁ ବଦଳାଇ ଦେଇଛି । ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡକୁ ନେଇ ତ୍ରିପାକ୍ଷିକ ସିରିଜ ହେବ । ପୂର୍ବରୁ ମ୍ୟାଚଗୁଡ଼ିକ ମୁଲତାନରେ ହେବାର ଥିଲା । କିନ୍ତୁ ଏବେ କରାଚି ଓ ଲାହୋରରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ ।
କେବେ ହେବ CT-2025: ଚାମ୍ପିୟନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବ । ୮ ଟିମକୁ ନେଇ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ ଖେଳାଯିବ । ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦାଫି ଷ୍ଟାଡିୟମ ଓ କରାଚିର ନ୍ୟାଶନାଲ ବ୍ୟାଙ୍କ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଖେଳାଯିବାର ଅଛି । ଭାରତ ତା’ର ମ୍ୟାଚ ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ ।