ପ୍ରଳୟଙ୍କରୀ ଭୂକମ୍ପ, ୨୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ବାରମ୍ୱାର ଭୂମିକମ୍ପ ଆସୁଥିବାରୁ ଘରକୁ ଯିବାକୁ ଡ଼ରୁଛନ୍ତି ଲୋକେ

ଆଫଗାନିସ୍ତାନରେ ପଛକୁ ପଛ ଭୂକମ୍ପ ଝଟକା।

ଆଫଗାନିସ୍ତାନ: ନିକଟରେ ସେପ୍ଟେମ୍ୱର ୧ ତାରିଖ ଦିନ ଆଫଗାନିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ହଜାର ହଜାର ଲୋକଙ୍କ ଜୀବନକୁ ଦୁର୍ବିଶହ କରିପକାଇଛି।

କୁନାର ପ୍ରଦେଶରେ ହୋଇଥିବା ଏହି ଭୂମିକମ୍ପରେ ୨୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ, ୩୬୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଏହି ଭୂମିକମ୍ପ ଅନେକ ଗାଁକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି।  କେବଳ ସେତିକି ନୁହେଁ ଗୋଟିଏ ରାତିରେ ୫ ଥର ବଡ଼ ବଡ଼ ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ପୁଣିଥରେ ୨୪ ଘଣ୍ଟା ପରେ ଭୂକମ୍ପ ଆସିଥିଲା। ଯାହା ଫଳରେ ପାହାଡ଼ରୁ ପଥର ଖସିବା ଆରମ୍ଭ ହୋଇଥିଲା ଏବଂ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିଲା।

ଭୟରେ ଗାଁ ଲୋକେ: ପଛକୁ ପଛ ଭୂକମ୍ପ ପରେ ଭୂକମ୍ପ ହେତୁ ଆଫଗାନ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏବଂ ନିଜର ଧ୍ୱଂସପ୍ରାପ୍ତ ଗାଁକୁ ଫେରିବାକୁ ମନା କରୁଛନ୍ତି।

ସେମାନଙ୍କ ମନରେ ଏକ ଭୟ ବସା ବାନ୍ଧି ରହିଛି କି ପୁଣିଥରେ ଭୂମିକମ୍ପ ହୋଇପାରେ ଏବଂ ଯେକୌଣସି ସମୟରେ ପାହାଡ଼ରୁ ବଡ଼ ବଡ଼ ପଥର କସିପାରେ।  ତେଣୁ ଲୋକମାନେ ଖୋଲା ଆକାଶ ତଳେ, ବିଲରେ, ରାସ୍ତାରେ ଏବଂ ନଦୀ କୂଳରେ ଜୀବନ ବିତାଉଛନ୍ତି।

ଅଧିକାଂଶ ଘର ମାଟି ଏବଂ ପଥରରେ ତିଆରି: ଆଫଗାନିସ୍ତାନରେ ଦାରିଦ୍ର୍ୟ ପୂର୍ବରୁ ବହୁତ ଅଧିକ। ରାସ୍ତା, ହସ୍ପିଟାଲ ଏବଂ ଘର ଭଳି ସୁବିଧା ବହୁତ କମ୍।

ଅନେକ ଗାଁ ସହର ରାସ୍ତାଠାରୁ ବହୁତ ଦୂରରେ ଅବସ୍ଥିତ। ଏଠାରେ ଅଧିକାଂଶ ଘର ମାଟି ଏବଂ ପଥରରେ ତିଆରି, ଯାହା ଭୂମିକମ୍ପ ହେଲେ ତୁରନ୍ତ ଧ୍ୱଂସ ପାଇଯାଏ।

ବହୁ ସଂଖ୍ୟକ ଲୋକ ଅସ୍ଥାୟୀ ରିଲିଫ୍ ଶିବିରରେ ରହୁଛନ୍ତି। ଯଦିଓ ସହାୟତା ସଂଗଠନଗୁଡ଼ିକ ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଉଛନ୍ତି, ଭୂମିକମ୍ପ ପୀଡିତମାନେ କହିଛନ୍ତି ଯେ ଏହି ସାହାଯ୍ୟ ବହୁତ ଧୀର ଏବଂ ସେମାନଙ୍କୁ ନିୟମିତ ଭାବରେ ଖାଦ୍ୟ ମିଳୁନାହିଁ।

ପିଲାମାନେ ଅଧିକ ସମସ୍ୟା ଭୋଗୁଛନ୍ତି: ପିଲାମାନେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି। ୧୨ ବର୍ଷୀୟ ସାଦିକ୍ ୧୧ ଘଣ୍ଟା ଧରି ଭଗ୍ନାଂଶ ତଳେ ଫସି ରହିଥିଲା।

ଭୂମିକମ୍ପରେ ତାଙ୍କ ଜେଜେମା ଏବଂ ଭାଇର ମୃତ୍ୟୁ ହୋଇଥିବା ବେଳେ ସାଦିକ୍ କିନ୍ତୁ ମୃତ୍ୟୁକୁ ମାତ୍ ଦେଇଥିଲା। ସାଦିକ୍ ଏବେ ବି ଭୟଭୀତ ଅଛି।

ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ଯଦି ଲୋକଙ୍କୁ ଶୀଘ୍ର ଖାଦ୍ୟ, ପାଣି, ଚିକିତ୍ସା ଏବଂ ଆଶ୍ରୟସ୍ଥଳ ଯୋଗାଇ ଦିଆ ନ ଯାଏ, ତେବେ ରୋଗ ଏବଂ ଦାରିଦ୍ର୍ୟ ଆହୁରି ବୃଦ୍ଧି ପାଇପାରେ।

ଆଫଗାନିସ୍ତାନ ପୂର୍ବରୁ ବିଶ୍ୱର ସବୁଠାରୁ ଗରିବ ଏବଂ ଭୂମିକମ୍ପ ପ୍ରଭାବିତ ଦେଶ ମଧ୍ୟରୁ ଗୋଟିଏ। ଯଦି ସମୟ ମଧ୍ୟରେ ସାହାଯ୍ୟ ନ ମିଳେ, ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଏହା ଏକ ମାନବିକ ସଙ୍କଟ ଯାହା ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ।