fbpx

ଯାଞ୍ଚରେ ଫେଲ୍ ପତଞ୍ଜଳି ମହୁ, ୧ଲକ୍ଷ ଟଙ୍କା ଲାଗିଲା ଜୋରିମାନା

Advertisement

ନୂଆଦିଲ୍ଲୀ: ବାବା ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ‘ପତଞ୍ଜଳି’ର ଉତ୍ପାଦ ଘରେ ଘରେ ଆଦର ଲାଭ କରିଛି । କିନ୍ତୁ ଏବେ ପତଞ୍ଜଳି ଉତ୍ପାଦର ଗ୍ରାହକଙ୍କ ଲାଗି ଏକ ଖରାପ ଖବର ସାମ୍ନାକୁ ଆସିଛି । ପତଞ୍ଜଳିର ପ୍ୟାକଡ୍ ମହୁ ଯାଞ୍ଚରେ ଫେଲ୍ ହୋଇଛି । ଏହି କାରଣରୁ ଯାଞ୍ଚ ଅଧିକାରୀ ନମୂନା ଯାଞ୍ଚରେ ଫେଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରାୟ ୪ ବର୍ଷ ତଳେ ଉତ୍ତରାଖଣ୍ଡ ପିଥୌରାଗଡ ଜିଲ୍ଲା ଡିଡିହାଟରୁ ପତଞ୍ଜଳିର ପ୍ୟାକଡ୍ ମହୁର ଏକ ନମୂନା ଯାଞ୍ଚ ଲାଗି ଏକତ୍ରୀତ କରାଯାଇଥିଲା । ଯାଞ୍ଚ ପରେ ଏହା ଧାର୍ଯ୍ୟ ମାନକ ପୂରଣ କରୁ ନ ଥିବା ଜଣାପଡିଥିଲା । ନମୂନାରେ ସୁକ୍ରୋଜ୍‌ର ମାତ୍ରା ୨ଗୁଣରୁ ଅଧିକ ଥିଲା । ଫଳରେ ଏହି ମାମଲାରେ ଯାଞ୍ଚ ଅଧିକାରୀ ଶୁକ୍ରବାର ଡିଡିହାଟ୍ ବିକ୍ରେତା ଓ ରାମନଗରର ବିତରକ କମ୍ପାନୀ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି ।

ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଆର୍‌.କେ.ଶର୍ମା କହିଛନ୍ତି ଜୁଲାଇ ୨୦୨୦ରେ ବିଭାଗ ଡିଡିହାଟ ସ୍ଥିତ ଗୌରବ ଟ୍ରେଡିଂ କମ୍ପାନୀରୁ ପ୍ୟାକଡ୍ ପତଞ୍ଜଳି ମହୁର ନମୂନା ଏକତ୍ରୀତ କରି ଯାଞ୍ଚ ପାଇଁ ରୁଦ୍ରପୁରସ୍ଥିତ ଲ୍ୟାବ ପଠାଇଥିଲେ । ଯାଞ୍ଚରେ ମହୁରେ ସୁକ୍ରୋଜର ମାତ୍ରା ଧାର୍ଯ୍ୟ ମାନକ ଅନୁସାରେ ୫% ବଦଳରେ ୧୧.୧% ଥିବାର ଜଣାପଡିଥିଲା । ଏହାପରେ ନଭେମ୍ବର ୨୦୨୧ରେ ବିଭାଗ ପକ୍ଷରୁ ସମ୍ବନ୍ଧିତ ବିକ୍ରେତାଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ଗତ ଶୁକ୍ରବାର ନିର୍ଣ୍ଣାୟକ ଅଧିକାରୀ ଓ ଏଡିଏମ୍ ଡା.ଏସ.କେ. ବରନୱାଲ ନିଷ୍ପିତ୍ତି ଶୁଣାଇଛନ୍ତି ।

Get real time updates directly on you device, subscribe now.