fbpx

ରାତି ପାହିଲେ ଭାରତରେ ହେବ ପାକିସ୍ତାନର ମ୍ୟାଚ, କିନ୍ତୁ ତାଙ୍କର ପ୍ରଶଂସକ ଓ ସାମ୍ବାଦିକଙ୍କୁ ମିଳୁନି ଭିଜା

AAKASH

ନୂଆଦିଲ୍ଲୀ: ରାତି ପାହିଲେ ବା ଆସନ୍ତାକାଲି ପାକିସ୍ତାନ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବ ବିଶ୍ୱକପ ମହାଲଢେଇ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବା ନେଇ ସ୍ଥିର ହୋଇ ରହିଛି। ମାତ୍ର ଭିଜାକୁ ନେଇ ପାକିସ୍ତାନ ଦଳ ତଥା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । କାଲିର ପାକିସ୍ତାନ ମ୍ୟାଚ ଆରମ୍ଭ ହେବାକୁ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ବାକି ଅଛି, ତଥାପି ପାକିସ୍ତାନର ପ୍ରଶଂସକ ଏବଂ ମିଡିଆକୁ ଭାରତୀୟ ଭିଜା ମିଳିନାହିଁ। ଯାହାକୁ ନେଇ ପାକିସ୍ତାନୀ ଦର୍ଶକ ବା ପ୍ରଶଂସକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଥିବା କୁହାଯାଉଛି ।

ଭାରତକୁ ଆସି ନିଜ ଦଳର ଲାଇଭ ମ୍ୟାଚ ଦେଖିବା ପାଇଁ ପାକିସ୍ତାନର ପ୍ରଶଂସକ ଏବଂ ମିଡିଆ କର୍ମୀମାନେ ଯଥାଶୀଘ୍ର ଭାରତରୁ ଭିଜା ପାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ତାଙ୍କୁ ଭିଜା ମିଳିବାରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଇସିସିରେ ପିସିବି ଅଭିଯୋଗ କରିଛି ଯେ, ଭାରତ ପାକିସ୍ତାନୀ ପ୍ରଶଂସକ ଏବଂ ମିଡିଆଙ୍କ ପାଇଁ ଭିଜା ପ୍ରକ୍ରିୟା ତ୍ୱରାନ୍ଵିତ କରୁନାହିଁ। ତେବେ ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନୀ ପ୍ରଶଂସକ ଭାରତ ଆସି ମ୍ୟାଚ ନ ଦେଖିପାରନ୍ତି ତେବେ ଭାରତରେ ପାକିସ୍ତାନର ମ୍ୟାଚ କିଏ ଦେଖିବ? ଏଭଳି ପ୍ରଶ୍ନ ଉଠିବାର କାରଣ ଭାରତ ଓ ପାକିସ୍ତାନ ହେଉଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଉଭୟ ଦେଶ ଭିତରେ ଦୀର୍ଘଦିନ ହେବ ସମ୍ପର୍କ ଭଲ ନାହିଁ, ଯାହାକୁ ନେଇ ଭାରତୀୟ ଦର୍ଶକ ପାକିସ୍ତାନ ମ୍ୟାଚକୁ ନାପସନ୍ଦ ମଧ୍ୟ କରିପାରନ୍ତି । ଏଣୁ ଏଭଳି ପରିସ୍ଥିତିରେ ମ୍ୟାଚ ଦେଖି ପାକିସ୍ତାନୀ ଦଳକୁ କେଉଁ ଦର୍ଶକ ଉତ୍ସାହିତ କରିବେ ତାହା ପାକିସ୍ତାନ ପାଇଁ ଏକ ଚିନ୍ତାର ବିଷୟ।

ସୂଚନା ଥାଉକି, ଦୀର୍ଘ ୭ ବର୍ଷ ପରେ ହିନ୍ଦୁସ୍ତାନ ମାଟିରେ ପାଦ ରଖିଛି ପାକିସ୍ତାନ ଟିମ୍ । ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ଭାରତ ଆସିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼ ଟେନସନରେ ରହିଥିଲା । ମାତ୍ର ଶେଷରେ ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ଭିସା ପ୍ରଦାନ କରିଥିଲେ ଭାରତ ସରକାର। ଆସନ୍ତା କାଲି ପାକିସ୍ତାନ ବିଶ୍ୱକପ ମ୍ୟାଚକୁ ନେଇ ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛି ।

 

Get real time updates directly on you device, subscribe now.