fbpx

BJD-BJP ମିଳିମିଶି କାମ କରୁଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେବ କଂଗ୍ରେସ: PCC ସଭାପତି (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରାଯିବ । କେନ୍ଦ୍ରରେ ଥିବା ବିଜେପି ସରକାର ଓ ରାଜ୍ୟରେ ଥିବା ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ହେଉଛି । ତେଣୁ ଆଗାମୀ ଦିନରେ କଂଗ୍ରେସ ଏନେଇ ଆନ୍ଦୋଳନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଗରିବ, ଚାଷୀ ମାରଣ ନୀତି, ଚାକିରି ଦେବାରେ ବିଫଳତା, ସରକାରୀ ଅଫିସରେ ଦୁର୍ନୀତି ଆଦି ରାଜ୍ୟରେ ବଢ଼ିବାରେ ଲାଗିଛି । ତେଣୁ ଆଗାମୀ ଦିନରେ ବିଜେଡିକୁ ରାଜ୍ୟରୁ ହଟାଇବା ପାଇଁ ଲଢ଼େଇ କରାଯିବ । ସେହିପରି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ମଧ୍ୟ ଦୁର୍ନୀତିରେ ବୁଡ଼ି ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଜନସାଧାରଣ ଭିତରେ ଭିତରେ କାନ୍ଦୁଛନ୍ତି । ସାଧାରଣ ଜନତାଙ୍କ ପୁଞ୍ଜିଭୁତ ଅସନ୍ତୋଷକୁ ପାଥେୟ କରି କଂଗ୍ରେସ ଲଢ଼େଇ ଜାରି ରଖିବ ।

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତିଶାଳୀ କରାଯିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ କଂଗ୍ରେସ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିବ ବୋଲି ଶରତ କହିଥିଲେ । ତେବେ ପିସିସି ସଭାପତିଙ୍କ ଏହି ଗସ୍ତ ଅବସରେ ଜିଲ୍ଲା ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଠାରନଳାଠାରୁ ଶତାଧିକ କର୍ମୀ ବାଇକ୍ ଶୋଭାଯାତ୍ରାରେ ବାହାରିଥିଲେ ।

Get real time updates directly on you device, subscribe now.