fbpx

ଓଡ଼ିଶାବାସୀ ପୁଣି ଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବେ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଆଗାମୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର ଅଭିଯାନ ଆରମ୍ଭ ହୋଇ ସାରିଥିବା ବେଳେ ଭାଜପା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଦୁଇଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋନପୁର ଗସ୍ତରେ ଆସିଥିବା ବେଳେ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ଗସ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ପାଇଁ ଦଳର ଅନ୍ୟତମ ଷ୍ଟାର ପ୍ରଚାରକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଆଜି ବରଗଡ଼ ଲୋକସଭା କ୍ଷେତ୍ରର ଝାରସୁଗୁଡ଼ା ଠାରେ ଏକ ଭବ୍ୟ ରୋଡ଼ ଶୋ’ରେ ସାମିଲ ହୋଇଥିଲେ ।

ଶ୍ରୀ ସାଏଙ୍କ ଏହି ହାଇପ୍ରୋଫାଇଲ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ସାମିଲ ଥିଲେ । ଶ୍ରୀ ସାଏଙ୍କ ଆଗମନରେ ସମଗ୍ର ଝାରସୁଗୁଡ଼ା ଭାବମୟ ହୋଇ ଉଠିଥିଲା । ଲୋକମାନେ ଅତ୍ୟନ୍ତ ଉତ୍ସାହର ସହିତ ବିଷ୍ଣୁ ଦେଓଙ୍କୁ ସ୍ୱାଗତ କରିଥିଲେ । ରାସ୍ତାର ଦୁଇ କଡ଼ରେ ହଜାର ହଜାର ସଂଖ୍ୟାରେ ଲୋକେ ପୁଷ୍ପ ବର୍ଷା କରିଥିଲେ । ରୋଡ଼ ଶୋ’ରେ ମହିଳାମାନଙ୍କର ଉପସ୍ଥିତି ମଧ୍ୟ ଅଦ୍ଭୂତପୂର୍ବ ଥିଲା । ପାଖାପାଖି ଅଢ଼େଇ ଘଣ୍ଟା ଧରି ଉକ୍ତ ରୋଡ଼ ଶୋ’ ଚାଲିଥିଲା । ଏହି ଅବସରରେ ସାମ୍ବାଦିକମାନଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିଲେ, ଏଥର ଓଡ଼ିଶା ବିଧାନସଭା ନିର୍ବାଚନରେ ପଦ୍ମ ଫୁଟିବ । ରାଜ୍ୟର ଜନତା ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବେ । ଏହି ବିଶାଳ ଜନସମାଗମ ତାହାର ଏକ ବଡ଼ ପ୍ରମାଣ ଦେଉଛି ।

Get real time updates directly on you device, subscribe now.