fbpx

ଜବ୍ ଇଣ୍ଟରଭ୍ୟୁ କାରଣରୁ ଲୋକମାନେ ଇଣ୍ଟରନେଟରେ ଟଙ୍କା ହରାଉଛନ୍ତି: ଏହା କିପରି ଘଟିଥାଏ ଆସନ୍ତୁ ଜାଣିବା

AAKASH

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ସମୟରେ ଦିନକୁ ଦିନ ଅନଲାଇନ୍ ସ୍କାମ୍ ବଢ଼ିବାରେ ଲାଗିଛି । ଅନେକ ସମୟରେ ସାଇବର ଠକମାନେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥାନ୍ତି । ତେବେ ଆପଣମାନେ ଯଦି ଡିଜିଟାଲ ୱାଲେଟ ବ୍ୟବହାର କରୁଛନ୍ତି ତେବେ ଏହି ଖବର ପଢ଼ିବା ଆପଣଙ୍କ ପାଇଁ ନିହାତି ଜରୁରୀ । ଆଜିକାଲି ଅଧିକାଂଶ ଲୋକ ଚାକିରି ଖଣ୍ଡେ ପାଇବା ପାଇଁ ଇଣ୍ଟରନେଟ ଉପରେ ନିର୍ଭର କରିଥାନ୍ତି । ତେବେ ଏଭଳି ସ୍ଥିତିରେ ଆଭାସୀ ବା ଭର୍ଚୁଆଲ ମୋଡ଼ର ସାକ୍ଷାତକାର ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ନିକଟରେ ଏଭଳି ଏକ ବଡ଼ ଘୋଟାଲା ସାମ୍ନାକୁ ଆସିଛି ।

ଯଦି ଆପଣ ଚାକିରି ସନ୍ଧାନ କରୁଛନ୍ତି ଓ ଅଚାନକ ଆପଣଙ୍କୁ ଏକ ଭଲ ସୁଯୋଗ ମିଳେ, ତେବେ ଆପଣ ଏଭଳି ସ୍ଥିତିରେ ଆଗକୁ ବଢ଼ିବାର ସମ୍ଭାବନା ଅଧିକ ରହିଥାଏ । ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ନିଜ ସହ ଘଟିଥିବା ଏପରି ଏକ ଦୁର୍ଦ୍ଦଶା ବିଷୟରେ ଜଣେ ବ୍ୟକ୍ତି ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପୀଡ଼ିତଙ୍କୁ ତାଙ୍କ କ୍ଷେତ୍ର ସହ ଜଡ଼ିତ ଏକ ପ୍ରତିଷ୍ଠିତ କମ୍ପାନୀ ତରଫରୁ ମେସେଜ୍ ପଠାଯାଇଥିଲା ।

ଏକ ପ୍ରତିଷ୍ଠିତ ବ୍ରାଣ୍ଡ ଚାକିରି ଦେବାର ଲାଳସା ଦେଇ ଇଣ୍ଟରଭ୍ୟୁ ଓ ଆପ୍ଲିକେସନ ପ୍ରୋସେସ ଆଳରେ ତାଙ୍କ ଠାରୁ ଟଙ୍କା ଚୋରି କରିନେବ ବୋଲି ଯୁବକ ଜଣଙ୍କ କେବେ ବି ଭାବି ନଥିଲେ । ପୀଡ଼ିତଙ୍କୁ ଡିସକର୍ଡରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା । ତା’ପରେ ତାଙ୍କୁ ଜବ ପ୍ରୋଫାଇଲ ସହ ଜଡ଼ିତ ପ୍ରଶ୍ନ ପଚରା ଯାଇଥିଲା ଓ ସମାନ ବିଚାରଧାରାର ଲୋକମାନେ କାମ କରୁଥିବା ଏକ ସର୍ଭର ସହ ଯୋଡ଼ି ହେବାକୁ କୁହାଯାଇଥିଲା ।

ଏହାପରେ ପୀଡ଼ିତଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଚଆର ଦ୍ୱାରା ଏକ ସାକ୍ଷାତକାର ଲିଙ୍କ ପ୍ରଦାନ କରାଯାଇଥିଲା । ତେବେ ସେଥିରେ ସେ ଜୁମ୍ ପରି ଇନ-ହାଉସ୍ କମ୍ୟୁନିକେସନ ଆପ ସହ ଭର୍ଚୁଆଲି ଯୋଡ଼ି ହୋଇ ପାରିବେ ବୋଲି ଯୁବକ ଜଣଙ୍କ ଭାବିଥିଲେ । ପୀଡ଼ିତ ଲିଙ୍କ ଡାଉନଲୋଡ କରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ସେଥିରେ ମାଲୱେର ରହିଥିଲା, ଯାହାକି ଡିଜିଟାଲ ୱାଲେଟକୁ ନଷ୍ଟ କରିବାକୁ ସକ୍ଷମ ଥିଲା । ଏହାପରେ ଯୁବକ ଜଣଙ୍କ ତତକ୍ଷଣାତ୍ ପାଖାପାଖି ୨.୪ ଲକ୍ଷ ଟଙ୍କା ହରାଇଥିଲେ । ତେବେ ଅନଲାଇନ ଚାକିରି ଘୋଟାଲାର ଏହା ପ୍ରଥମ ଘଟଣା ନୁହେଁ । ଏପରି ବିଭିନ୍ନ ଘଟଣା ସାମ୍ନାକୁ ଆସିଛି । କିଛି ଲୋକ ନିଜର ଅର୍ଥ ଜମା କରିବା ପାଇଁ ଡିଜିଟାଲ ୱାଲେଟର ବ୍ୟବହାର କରିଥାନ୍ତି ଓ ହ୍ୟାକର୍ସ ଏହି ୱାଲେଟକୁ ନଷ୍ଟ କରିବାରେ ବହୁ ଆଗକୁ ବଢ଼ିଯାଇଛନ୍ତି । ସେମାନଙ୍କ ପାଖରେ ଥିବା ମାଲୱେର ୱାଲେଟର ସୁରକ୍ଷାକୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ ଯାହାକି ଉକ୍ତ ବ୍ୟକ୍ତିଙ୍କର କ୍ଷେତ୍ରରେ ଘଟିଥିଲା ।

Get real time updates directly on you device, subscribe now.