ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଉପରେ ରହିଛି । ତୈଳ ରେଟ ବୃଦ୍ଧି ଗ୍ରାହକଙ୍କୁ କଲବଲ କରୁଥିବା ବେଳେ ଏବେ ପନିପରିବାର ଦର ମଧ୍ୟ ଆକାଶଛୁଆଁ ହୋଇଛି । ତେବେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଖୁବଶୀଘ୍ର ପେଟ୍ରୋଲ ଲିଟର ମାତ୍ର ୧୫ ଟଙ୍କାର ଉପଲବ୍ଧ ହେବ ବୋଲି କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ କହିଛନ୍ତି ।
ରାଜସ୍ଥାନର ପ୍ରତାପଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ଯଦି ୬୦ ପ୍ରତିଶତ ଇଥାନଲ ଓ ୪୦ ପ୍ରତିଶତ ବିଜୁଳିର ଉପଯୋଗ କରାଯାଏ ତେବେ ପେଟ୍ରୋଲ ଲିଟର ୧୫ ଟଙ୍କାରେ ଉପଲବ୍ଧ ହୋଇପାରିବ । ଏହାଫଳରେ ପ୍ରଦୂଷଣ ହ୍ରାସ ପାଇବା ସହିତ ତୈଳ ଆମଦାନୀରେ ମଧ୍ୟ ହ୍ରାସ ଘଟିବ ।
କିଷାନ କେବଳ ଅନ୍ନଦାତା ନୁହନ୍ତି, ଏବେ ଉର୍ଜାଦାତା ମଧ୍ୟ ହୋଇ ପାରିବେ । ଆସନ୍ତା ଅଗଷ୍ଟ ମାସରେ ଟୋୟୋଟା କମ୍ପାନୀର ଗାଡ଼ି ଲଞ୍ଚ କରାଯିବ । ଏହି ସମସ୍ତ ଯାନ କୃଷକଙ୍କ ଦ୍ୱାରା ପ୍ରସ୍ତୁତ ଇଥାନନ ଦ୍ୱାରା ଚାଲିବ । ୬୦ ପ୍ରତିଶତ ଇଥାନଲ ଓ ୪୦ ପ୍ରତିଶତ ବିଜୁଳିରେ ଚାଲିଲେ ପେଟ୍ରୋଲ ଲିଟର ୧୫ ଟଙ୍କାକୁ ଖସି ଆସିବ । ଇଥାନଲ ଗାଡ଼ି ଚାଲିବା ଫଳରେ କମ୍ ଖର୍ଚ୍ଚ ହେତୁ ଜନତାଙ୍କୁ ଫାଇଦା ମିଳିବ । ଏଥିସହିତ କିଷାନଙ୍କର ହିତ ସାଧନ ହେବା ସହିତ ଦେଶର ମଧ୍ୟ ମଙ୍ଗଳ ହେବ ।
ବର୍ତ୍ତମାନ ସମୟରେ ତୈଳ ଆମଦାନୀ ୧୬ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଇଥାନଲ ପ୍ରୟୋଗ କରିବା ଫଳରେ ଏହାକୁ କମ୍ କରାଯାଇ ପାରିବ । ଅର୍ଥ ଅନ୍ୟ ଦେଶକୁ ପଠାଇବା ବଦଳରେ କୃଷକମାନେ ପାଇ ପାରିବେ । ଆସନ୍ତା ମାସରେ ଟୋୟୋଟା କମ୍ପାନୀର ଇନୋଭା କାର ଲଞ୍ଚ ହେବ । ତାହା ୧୦୦ ପ୍ରତିଶତ ଫ୍ଲେକ୍ସ ଫୁଏଲ ଇଞ୍ଜିନ ହେବା ସହିତ ତାହା ଶତ ପ୍ରତିଶତ ଇଥାନଲ ଦ୍ୱାରା ଚାଲିବ ।