CHSE ପକ୍ଷରୁ ସୂଚନା: ନଭେମ୍ବର ୨୫ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତଦୁଇ ଫର୍ମ ପୂରଣ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ପରୀକ୍ଷାକୁ ନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଫେବୃଆରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୮ରେ ବିଜ୍ଞାନ ବିଭାଗର ଏମଆଇଏଲ୍ ଓଡ଼ିଆ ପରୀକ୍ଷା, ୧୯ରେ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କର ଓଡ଼ିଆ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ସିଏଚଏସଇ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୨୩ରୁ ୩୦ ତରିଖ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ପ୍ରୋଜେଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା ।

ତେବେ ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ନଭେମ୍ବର ୨୦ ତାରିଖଠାରୁ ଏନେଇ ଆବେଦନ କରିପାରିବେ । ୬ ଶହ ଟଙ୍କା ଫାଇନ୍ ସହ ୨୬ ତାରିଖ ସୁଦ୍ଧା ଆବଶ୍ୟକ ଫିସ୍ ଦାଖଲ କରିବେ । ଫର୍ମ ପୂରଣ ପାଇଁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଶେଷ ସୁଯୋଗ ବୋଲି ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ବାବଦରେ ପରିଷଦ ଅନୁବନ୍ଧିତ ସମସ୍ତ ଶିକ୍ଷାନୁଷ୍ଠାନକୁ ପରୀକ୍ଷା ନିୟନ୍ତ୍ରକ ଅବଗତ କରିଛନ୍ତି ।