fbpx

ଏପ୍ରିଲ ୧୦ ତାରିଖରୁ ଯୁକ୍ତଦୁଇ ଖାତାଦେଖା ଆରମ୍ଭ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୧ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ରାଜ୍ୟର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟର ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କୋଭିଡ-୧୯ କଟକଣା ପରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସିଲାବସରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ କଡ଼ା ଚେକିଂ ସହିତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆଜି ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ସମାପ୍ତ ହୋଇଛି । ଆସନ୍ତା ମାସ ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଦୁଇଟି ପର୍ଯ୍ୟାୟରେ ଯୁକ୍ତଦୁଇ ପିଲାଙ୍କର ଖାତାଦେଖା ହେବ । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ । ତେବେ ଉଭୟ ଅନଲାଇନ୍ ଓ ଅଫଲାଇନ ମୋଡ଼ରେ ପିଲାଙ୍କର ମୂଲ୍ୟାଙ୍କନ କରାଯିବ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ, ବିଜ୍ଞାନରେ ୯୧ ହଜାର ୩୭୯ ଜଣ, ବାଣିଜ୍ୟରେ ୨୩ ହଜାର ୧୪୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଥିଲେ । ସକାଳ ୮.୩୦ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଥିଲା । ଛାତ୍ରଛାତ୍ରୀମାନେ ୧୫ ମିନିଟ୍ ପୂର୍ବରୁ ନିଜ ନିଜର ସିଟରେ ବସିବା ନେଇ ନିୟମ କରାଯାଇଥିଲା । ପରୀକ୍ଷା କେନ୍ଦ୍ରରେ କପି ରୋକିବାକୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।

Get real time updates directly on you device, subscribe now.