ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ, ଫୋନ କରି ସ୍ବାସ୍ଥ୍ୟ କଥା ବୁଝିଲେ ପ୍ରଧାନମନ୍ତ୍ରୀ

ନବୀନ ପଟ୍ଟନାୟକଙ୍କୁ ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ।

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥାରାଇଟ୍ସରେ ଅସ୍ତ୍ରପୋଚାର ପାଇଁ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରିିଥିଲେ । ବର୍ତ୍ତମାନ ତାଙ୍କର ଅସ୍ତ୍ରପୋଚାର ସଫଳ ହୋଇଥିବା ବେଳେ ସେ ସୁସ୍ଥ ରହିଥିବା ମଧ୍ୟ ଜଣାପଡ଼ିଛି ।

ତେବେ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ କାମନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଫୋନ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ଆଜି ଓଡ଼ିଶା ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଗତକାଲି ରାତିରେ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ଏବଂ ତାଙ୍କର ଶୀଘ୍ର ଏବଂ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭକାମନା ଜଣାଇଥିବା ଜଣାପଡ଼ିଛି । ସେହିପରି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଏକ୍ସ ହେଣ୍ଡଲ ନେଇ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ସାଂସଦ ସୁଲତା ଦେଓ, ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଅନ୍ୟମାନଙ୍କ ସମେତ ବରିଷ୍ଠ ବିଜେଡି ମହିଳା ନେତ୍ରୀମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ଆଜି ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଦଳର ସଭାପତିଙ୍କୁ ଭେଟିଥିଲେ । ତେବେ ନବୀନ ପଟ୍ଟନାୟକ କେବେ ଓଡ଼ିଶା ଫେରିବେ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।