fbpx

୨୦୨୪ ନିର୍ବାଚନ ଲାଗି ମୋଦୀଙ୍କ ଶଙ୍ଖନାଦ: ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଗାଁ, କୃଷକ, ମୁସଲମାନ ଓ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ଫୋକସ୍

AAKASH

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନ ଲାଗି ବିଜେପିର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମୋଦୀ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିବା ସହ ଗାଁ, କୃଷକ, ମୁସଲମାନ, ଭ୍ରଷ୍ଟାଚାର ଓ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ମଧ୍ୟ ମନ୍ତବ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନିର୍ବାଚନ ଲାଗି ଗୋଟିଏ ପଟେ ଶଙ୍ଖନାଦ କରିବା ସହ ଅନ୍ୟପଟେ ବିଜେପିର ଏଜେଣ୍ଡା ସେଟ୍ କରି ଦେଇଛନ୍ତି ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ବିରୋଧି ଦଳଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସମ୍ବୋଧନ ସମୟରେ ତାଙ୍କର ପୁରା ଫୋକସ୍ ଗାଁ, କୃଷକ, ମୁସଲମାନ, ଭ୍ରଷ୍ଟାଚାର, ୟୁନିଫର୍ମ ସିଭିଲ କୋଡ୍ ଉପରେ ରହିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବାରବାଦକୁ ନେଇ ବିରୋଧୀ ଦଳକୁ କଟୁ ସମାଲେଶଚନା କରିଛନ୍ତି । ସେ କହିଛନ୍ତି ଯଦି ଆପଣଙ୍କର ନିଜ ସନ୍ତାନ ସନ୍ତତିଙ୍କୁ ନେଇ ଚିନ୍ତା ଅଛି ତେବେ ବିଜେପିକୁ ଭୋଟ ଦିଅନ୍ତୁ । ଗୋଟିଏ ପଟେ ସେ ପରିବାରବାଦ ଓ ଭ୍ରଷ୍ଟାଚାର ମାମଲାରେ ବିରୋଧି ଦଳକୁ ଘେରିଥିବା ବେଳେ ଅନ୍ୟପଟେ ଯୁଦ୍ଧ ସମୟରେ ଦରଦାମ୍ ନିୟନ୍ତ୍ରଣରେ ରଖାଯାଇପାରିଥିବା ନେଇ ଦାବୀ କରିଛନ୍ତି । ପେଟ୍ରୋଲ ଉପରେ ୨ ଥର ଆମଦାନୀ ଶୁଳ୍କ କମାଯାଇଥିବା ବେଳେ ବିରୋଧୀ ଏହାକୁ ନେଇ ଅଯଥା ହୋ ହାଲ୍ଲା କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନା ଓ ଜେନେରିକ୍ ମେଡିସିନ୍ ଦୋକାନ କାରଣରୁ ଲୋକଙ୍କୁ ମିଳୁଥିବା ଲାଭ ଉପରେ ମଧ୍ୟ ମତ ରଖିଛନ୍ତି । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ମଧ୍ୟକୁ ଯିବାକୁ ମୋଦୀ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରିଥିଲେ । ମୋଦୀ କହିଛନ୍ତି ଭାରତ ୨୦୪୭ ସୁଦ୍ଧା ସେତେବେଳେ ବିକଶିତ ହେବ ଯେତେବେଳେ ଏହାର ଗାଁ ଗୁଡିକ ବିକଶିତ ହେବ । ଆମର ଲକ୍ଷ୍ୟ କେବଳ କୌଣସି ଲାଭାର୍ଥୀଙ୍କୁ ଏକ ଯୋଜନାର ଲାଭ ଦେବା ନୁହେଁ ବରଂ ଶତ ପ୍ରତିଶତ କଭର କରିବା । ସେ ଯେଉଁ ଯୋଜନାର ଲାଭ ପାଇବାକୁ ହକଦାର ତାହା ସେ ଶତ ପ୍ରତିଶତ ପାଇବା ଉଚିତ ।

ତେବେ ମୋଦୀଙ୍କର ଗାଁ ଉପରେ ଫୋକସ ପଛରେ ୩ କାରଣ ରହିଛି ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି । ପ୍ରଥମ ଗାଁରେ ସରକାରୀ ଯୋଜନାର ଲାଭାର୍ଥୀଙ୍କ ସଂଖ୍ୟା ଅଧିକ । ଦ୍ୱିତୀୟ ୨୦୧୪ ନିର୍ବାଚନ ପର ଠାରୁ ବିଜେପି ଗ୍ରାମୀଣ କ୍ଷେତ୍ରରେ ଲଗାତର ଭଲ ପ୍ରଦର୍ଶନ କରି ଆସୁଛି । ତୃତୀୟ ଗ୍ରାମୀଣ ଇଲାକାର ଲୋକସଭା ଆସନ ଓ ଗ୍ରାମୀଣ ଭୋଟରଙ୍କୁ ହାତମୁଠାକୁ ଆଣିବା ।
ସେହିପରି ମୋଦୀ ବହୁ ସମୟରେ କୃଷକଙ୍କ କଥା ଉଠାଇଛନ୍ତି । କିଷାନ ସମ୍ମାନ ନିଧି ଠାରୁ ଆରମ୍ଭ କରି ଫସଲ ବୀମା ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ବିଷୟରେ ଚର୍ଚ୍ଚା କରି କୃଷକଙ୍କ କଲ୍ୟାଣ ଲାଗି ସରକାର ବିଭିନ୍ନ ସମୟରେ ନେଇଥିବା ପଦକ୍ଷେପ ଉପରେ ଦୃଷ୍ଟିପାତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କଂଗ୍ରେସର ଗୋଟିଏ ନୀତି ରହିଥିଲା । ପ୍ରଥମେ କୃଷକଙ୍କୁ ସଂକଟରେ ପକାଇବା ଓ ପରେ ଋଣଛାଡ ନାମରେ ଭୋଟ ଆଦାୟ କରିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲିମ ସଂପ୍ରଦାୟ ବିଷୟରେ ମଧ୍ୟ କହିଛନ୍ତି । ତିନି ତଲାକ ସପକ୍ଷରେ କହୁଥିବା ଲୋକଙ୍କୁ ମୋଦୀ ଟାର୍ଗେଟ୍ କରି କହିଛନ୍ତି ଭୋଟବ୍ୟାଙ୍କ ଲାଗି ଭୋକିଲା ଥିବା ଲୋକ ମୁସଲିମ୍ ମହିଳାମାନଙ୍କ ସହ ଅନ୍ୟାୟ କରୁଛନ୍ତି । ଯଦି ତିନି ତଲାକ୍ ଏକ ଜରୁରୀ ଅଙ୍ଗ ତେବେ କତାର, ଜୋର୍ଡାନ, ଇଣ୍ଡୋନେସିଆ ପରି ଦେଶରେ ଏହା ଉପରେ କାହିଁକି ପ୍ରତିବନ୍ଧ ଲାଗିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ମଧ୍ୟ ଖୋଲାଖୋଲି ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ମୁସମାନ ଭାଇ ଭଉଣୀଙ୍କୁ ଏହା ବୁଝିବାକୁ ହେବ ଯେ କେଉଁ ରାଜନୈତିକ ଦଳ ସେମାନଙ୍କୁ ଉସୁକାଇ ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି । ସେ କହିଛନ୍ତି ଗୋଟିଏ ଘରେ ଜଣେ ସଦସ୍ୟଙ୍କ ଲାଗି ଗୋଟିଏ ଆଇନ ଓ ଆଉ ଜଣେ ସଦସ୍ୟଙ୍କ ଲାଗି ଆଉ ଗୋଟିଏ ଆଇନ ଏପରି ସ୍ଥିତିରେ କଣ ଘର ଚାଲିବ । ତେଣୁ ଦେଶରେ ୟୁନିଫର୍ମ ସିଭିଲ କୋର୍ଡର ଆବଶ୍ୟକତା ରହିଛି ।

 

Get real time updates directly on you device, subscribe now.