ନୂଆଦିଲ୍ଲୀ: ଏକ ହାଇପ୍ରୋଫାଇଲ ଡ୍ୟାନ୍ସ ପାର୍ଟିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ପୋଲିସ ଫାର୍ମାହାଉସରେ ଚଢ଼ାଉ କରି ୧୪ ଯୁବତୀଙ୍କ ସହ ମୋଟ ୮୪ ଜଣଙ୍କୁ ଗିରଫ କରିଛି । ପୋଲିସ ରେଡ୍ କରି ୨୨ଟି ଲଗଜୁରୀ ଗାଡ଼ି, ୭ କସିନୋ ଟେବୁଲ, ୪୪ ବେତଲ ଅଗ୍ରେଜୀ ମଦ, ୬୬ ବିୟର ବୋତଲ ଓ ପାଖାପାଖି ୨୩ ଲକ୍ଷ ଟଙ୍କା ଜବତ କରିଛି । ଜୟପୁର ପୋଲିସ କମିଶନରେଟର କ୍ରାଇମବ୍ରାଞ୍ଚ ଟିମ୍ ଏହି ଚଢ଼ାଉ କରିଥିଲା ।
ଏହି ଡ୍ୟାନ୍ସ ପାର୍ଟିରେ ଅନେକ ଯୁବତୀ ସାମିଲ ରହିଥିଲେ । ମାନବ ଚାଲାଣକୁ ପ୍ରୋତ୍ସାହନ ଦିଆଯାଇଥିବା ଅଭିଯୋଗରେ ୧୪ ଯୁବତୀଙ୍କ ସହିତ ୮୪ ଜଣଙ୍କୁ ଗିରଫ କରାଯାଇଛି । ଡ୍ୟାନ୍ସ ପାର୍ଟି ସହିତ କସିନୋ ଚାଲିଥିଲା । ରାତି ୨ଟା ପର୍ଯ୍ୟନ୍ତ ସେଠାରେ ଯୁବକ, ଯୁବତୀଙ୍କ ଭିଡ଼ ଲାଗି ରହିଥିଲା । ସେମାନଙ୍କ ମଧ୍ୟରେ କିଏ ମଦ ପିଉଥିଲା ତ କିଏ ହୁକ୍କା ଟାଣୁଥିଲା । ସେହିପରି ଅନ୍ୟମାନେ ଟେବୁଲ ଉପରେ ଅନଲାଇନ୍ ଜୁଆ ଖେଳୁଥିଲେ ।
ଏହି ଘଟଣା ରାଜସ୍ଥାନ ବାହାରର ହୋଇଥିବାରୁ ଏହି ଖବର ଲୋକାଲ ପୋଲିସକୁ ଦିଆଯାଇନଥିଲା । ଗିରଫ ହୋଇଥିବା ଲୋକଙ୍କ ବିରୋଧରେ ମାନବ ତସ୍କରୀ ଅପରାଧର ଧାରା ଲାଗୁ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ଦିଲ୍ଲୀ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବାସିନ୍ଦା ଅଟନ୍ତି । ମୁଖ୍ୟ ଆସାମୀ ନରେଶ ମାଲହୋତା ଓ ତାଙ୍କ ପୁଅ ଏହି ପାର୍ଟିର ଆୟୋଜନ କରିଥିଲେ । ଗ୍ରାହକଙ୍କୁ ମନୋରଞ୍ଜନ କରିବା ପାଇଁ ଯୁବତୀଙ୍କୁ ଅଣାଯାଇଥିଲା । ଦୁଇ ରାତିର ପ୍ରୋଗ୍ରାମ ପାଇଁ ଜଣେ ଯୁବକ ଦୁଇ ଲକ୍ଷ ଲେଖାଏଁ ଅର୍ଥ ଦେଇଥିଲେ ।