fbpx

ବର୍ଷାରେ ଭିଜିବ ପୂଜା ବଜାର: ଘୂର୍ଣ୍ଣିବଳୟ ସକ୍ରିୟ , ୫ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ରବିବାରଠାରୁ ଉପକୂଳରେ ବର୍ଷାର ପରିମାଣ ବଢ଼ିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରବିବାର ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ବୌଦ୍ଧରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି କୋରାପୁଟରେ ୩୨.୫ ମିମି , ହୀରାକୁଦରେ ୨୬.୨ , ଭବାନୀପାଟଣା ୨୭ , ତାଳଚେର ୧୫ , ସୁନ୍ଦରଗଡ଼ ୧୦.୨ ଓ ପାରଳାଖେମୁଣ୍ଡି ୧୨.୨ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।

ମଙ୍ଗଳବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋମବାର ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତ୍‌ସିଂପୁର , ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଞ୍ଜାମ , ଗଜପତି , ସୁନ୍ଦରଗଡ଼ , କେନ୍ଦୁଝର , ମୟୂରଭଞ୍ଜ , ଦେବଗଡ଼ , ଅନୁଗୋଳ ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ । ମଙ୍ଗଳବାର ଗଞ୍ଜାମ , ଗଜପତି , ପୁରୀ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମୟୂରଭଞ୍ଜ , ରାୟଗଡ଼ା , ମାଲକାନଗିରି , କୋରାପୁଟ , କଳାହାଣ୍ଡି , ନବରଙ୍ଗପୁର , ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତ୍‌ସିଂହପୁର ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବ । ସେହିଭଳି ବୁଧବାର ମାଲକାନଗିରି , କୋରାପୁଟ , ରାୟଗଡ଼ା , କଟକ , ଜଗତ୍‌ସିଂହପୁର , ନବରଙ୍ଗପୁର , ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଞ୍ଜାମ ଓ ଗଜପତି ଏବଂ ଗୁରୁବାର ନୂଆପଡ଼ା , ବରଗଡ଼ , ନବରଙ୍ଗପୁର , ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ।

Get real time updates directly on you device, subscribe now.