fbpx

ମୋଦୀଙ୍କ ନିମନ୍ତ୍ରଣରେ ଭାରତ ଆସିବେ କି ପୋପ୍ ଫ୍ରାନ୍ସିସ ? ପୋପ୍‌ଙ୍କ ଗସ୍ତ ଆମ ଦେଶ ଲାଗି କେତେ ଗୁରୁତ୍ୱପୂର୍ଣ୍ଣ

AAKASH

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଜି ୭ ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି । ଏହି କ୍ରମରେ ସେ ପୋପ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଆଶା କରାଯାଉଛି କି ଏଥର ପୋପ୍ ଫ୍ରାନ୍ସିସ ଭାରତ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ମୋଦୀ ୮୭ ବର୍ଷୀୟ ପୋପ୍‌ଙ୍କୁ ଆଲିଙ୍ଗନ କରିବା ସହିତ ବେଶ୍ ହସଖୁସି ମିଜାଜରେ ତାଙ୍କ ସହ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ୨୦୧୬ ଓ ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ପୋପ୍‌ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେ ଆସି ନ ଥିଲେ । ଏଥର ବି ପ୍ରଧାନମନ୍ତ୍ରୀ ମୋଦୀ ଜି୭ ଶିଖର ସମ୍ମିଳନୀରେ ଭାଗ ନେବା ସହିତ ଭାଟିକାନ୍ ମୁଖ୍ୟ ପୋପ୍ ଫ୍ରାନ୍ସିସଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏବେ ଦେଖିବାର ଅଛି କି ମୋଦୀଙ୍କ ନିମନ୍ତ୍ରଣରେ ଏଥର ପୋପ୍ ଭାରତ ଆସୁଛନ୍ତି କି ନା ଓ ସେ କେବେ ଭାରତ ଆସୁଛନ୍ତି ? ଯଦି ସେ ଭାରତ ଆସିବେ ତେବେ ହିନ୍ଦୁ ବହୁଳ ରାଷ୍ଟ୍ରରେ ତାଙ୍କର ଏହା ପ୍ରଥମ ଯାତ୍ରା ହେବ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ପୋପ୍ ଫ୍ରାନ୍ସିସ୍ ଇଟାଲୀର ଆପୁଲିଆରେ ଆୟୋଜିତ ଜି ୭ ସମ୍ମିଳନୀର ଆଉଟରିଚ୍ ସେସନରେ ପରସ୍ପର ସହ ସାକ୍ଷାତ ଆଲୋଚନା କରିଛନ୍ତି । ପୃଥିବୀବାସୀଙ୍କ ସେବା କରିବା ଓ ଆମ ଗ୍ରହର ସୁରକ୍ଷା ପ୍ରତି ପୋପ୍‌ଙ୍କ ପ୍ରତିବଦ୍ଧତାକୁ ମୋଦୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହା ସହ ସେ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ପୋପ୍ ଫ୍ରାନ୍ସିସ୍ ମଧ୍ୟ ମୋଦୀଙ୍କ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଭାରତ ଏସିଆରେ ଦ୍ୱିତୀୟ ବୃହତ୍ତ କ୍ୟାଥୋଲିକ୍ ମାନଙ୍କର ଦେଶ । ଭାରତରେ ରୋମାନ୍ କ୍ୟାଥୋଲିକଙ୍କ ସଂଖ୍ୟା ପ୍ରାୟ ୨୦ ମିଲିୟନରୁ ଅଧିକ । ଇସାଇ ଧର୍ମ ଭାରତରେ ହିନ୍ଦୁ ଓ ଇସଲାମ ପରେ ସବୁଠାରୁ ବଡ ଧର୍ମ । ଏହି ଦୃଷ୍ଟିରୁ ପୋପ୍‌ଙ୍କ ଗସ୍ତ ଭାରତ ଲାଗି ବହୁତ ଗୁରୁତ୍ୱ ରଖୁଛି । ପୋପ୍‌ଙ୍କ ଆଗମନରେ ଭାରତରେ ଥିବା ଇସାଇ ଓ ପାଦରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବ ।

Get real time updates directly on you device, subscribe now.