fbpx

ଏଥର ନୟାଗଡ଼ରେ ହେବ କଡ଼ା ଟକ୍କର: ପଞ୍ଚମ ଥର ଗଡ଼ ଦଖଲ ଲକ୍ଷ୍ୟରେ ଅରୁଣ, ଚେକ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରତ୍ୟୁଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ତିନି ପ୍ରମୁଖ ରାଜନେତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ନେତାମାନେ ଦଳ ବଦଳ କରୁଥିବାରୁ ସେମାନେ ଅନେକ ଆସନରେ ଦଳୀୟ ଭୋଟ ବିଭାଜନ କରିବାର ସମ୍ଭାବନା ରହିଛି । ତେଣୁ ଏପରି ସ୍ଥିତିରେ ବିଧାନସଭା ନିର୍ବାଚନ ପାଇଁ ଅଧିକାଂଶ ସିଟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।

ତେବେ ଗତ କିଛିବର୍ଷ ଧରି ନୟାଗଡ଼ ବିଧାନସଭା ଆସନ ବିଜେଡିର ଏକ ଦୁର୍ଗ ଭାବେ ପରିଗଣିତ ହୋଇ ଆସିଛି । ୨୦୦ରେ ଏହି ଆସନରୁ ଭାଗବତ ବେହେରା ବିଜେଡି ଟିକେଟରେ ବିଜୟୀ ହୋଇଥିବା ବେଳେ ତାଙ୍କର ଦେହାନ୍ତ ପରେ ଉକ୍ତ ଆସନରୁ ତାଙ୍କ ପତ୍ନୀ ମନ୍ଦାକିନୀ ବେହେରା ବିଜୟୀ ହୋଇଥିଲେ । ତା’ ପରଠାରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କ୍ରମାଗତ ୪ ଥର ଏହି ଆସନରୁ ଅରୁଣ କୁମାର ସାହୁ ବିଜୟୀ ହୋଇ ଜଣେ ଶକ୍ତିଶାଳୀ ରାଜନେତା ଭାବେ ପରିଗଣିତ ହୋଇଛନ୍ତି । ଅରୁଣଙ୍କ ପରି ଜଣେ ହେଭିୱେଟ୍ ନେତାଙ୍କୁ ନୟାଗଡ଼ ଆସନରୁ ହରାଇବା ବିରୋଧୀଙ୍କ ପାଇଁ ଏକପ୍ରକାର ମୁସ୍କିଲ ହୋଇ ପଡ଼ିଛି ।

ତେବେ ଅରୁଣଙ୍କ ଗଡ଼ରେ ତାଙ୍କୁ ଟକ୍କର ଦେବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ନିଶ୍ଚିତ ଭାବେ କାଠିକାର ପାଠ ହେବ । କାରଣ ଗତ ବିଧାନସଭା ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଇରାନୀ ରାୟ ୬୬ ହଜାରରୁ ଅଧିକ ଭୋଟ ପାଇ ଅରୁଣଙ୍କ ଠାରୁ ପରାସ୍ତ ହୋଇଥିଲେ । ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ବିଜେପି ଏହି ଆସନରୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ନୟାଗଡ଼ ଆସନରେ ଇରାନୀଙ୍କର ଏକ ବଡ଼ ସଂଗଠନ ରହିଥିବାରୁ ସେ ନିଶ୍ଚିତ ଭାବେ ବିଜେପି ପାଇଁ କାଳ ସାଜିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ନୟାଗଡ଼ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ତା’ ଉପରେ ଏବେ ସଭିଙ୍କ ନଜର ରହିଛି । ଏହି ଆସନରେ ବିଜେଡି-ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ଅଧିକ ।

Get real time updates directly on you device, subscribe now.