fbpx

ମାଟିର କନ୍ୟାଙ୍କୁ ସ୍ୱାଗତ କଲା ମୟୂରଭଞ୍ଜ: ଜନ୍ମମାଟିରେ ପାଦଦେଲେ ରାଷ୍ଟ୍ରପତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିକୁ ଫେରିଛନ୍ତି ଦ୍ରୌପଦୀ ମୁର୍ମୁ । ଆଜି ୩ ଦିନିଆ ମୟୁଭରଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି । ବାଦାମପାହାଡ଼ ନିକଟରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ରାଷ୍ଟ୍ରପତି ବିମାନରୁ ଅବତରଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ନିକଟରୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଦ୍ରୌପଦୀ ଫେରୁଥିବାରୁ ଏନେଇ ମୟୂରଭଞ୍ଜ ମାଟି ସତେ ଯେମିତି ତା’ର ଅଲିଅଳି ଝିଅକୁ ଚାହିଁ ରହିଥିଲା । ରାଷ୍ଟ୍ରପତିଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତିବିଶେଷ, ସ୍କୁଲ କଲେଜ ବେଳର ସହପାଠୀ, ବନ୍ଧୁ ପରିଜନମାନେ ଏହି ଗସ୍ତ ପୂର୍ବରୁ ଅତ୍ୟନ୍ତ ଭାବପ୍ରବଣ ହୋଇ ଉଠିଥିଲେ । ତେବେ ଆଜି ରାଷ୍ଟ୍ରପତି ବିମାନରୁ ଓହ୍ଲାଇବା କ୍ଷଣି ସେଠାରେ ଉପସ୍ଥିତ ଜନତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ରାଷ୍ଟ୍ରପତିଙ୍କ କାର ଆଗକୁ ମାଡ଼ି ଚାଲିଥିବା ବେଳେ ରାସ୍ତାର ଦୁଇ କଡ଼ରେ ଉପସ୍ଥିତ ଜନତା ତାଙ୍କୁ ହୃଦୟତାର ସହିତ ସ୍ୱାଗତ କରିଥିଲେ । ମୟୂରଭଞ୍ଜର ଏକ ଅଖ୍ୟାତ ପଲ୍ଲୀର ସେଇ ସରଳ ଝିଅ ଆଜି ଦେଶର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇପାରିଛି, ସେଥିପାଇଁ ସମସ୍ତଙ୍କର ଛାତି ଗୌରବରେ ଫୁଲି ଉଠିଥିଲା । ରାଷ୍ଟ୍ରପତିଙ୍କ ଅବସ୍ଥାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାସ୍ତାଘାଟ ନିର୍ମାଣଠାରୁ ଆରମ୍ଭ କରି ଖାଇବା ପିଇବା ଓ ରହିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି । ସେହିପରି ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଶିମିଳିପାଳକୁ ପର୍ଯ୍ୟଟକଙ୍କ ପାଇଁ ୨ ଦିନ ବନ୍ଦ ରଖାଯାଇଛି ।

Get real time updates directly on you device, subscribe now.