fbpx

(Video) ଶୁଭାରମ୍ଭ ହେଲା ସୁଭଦ୍ରା ଯୋଜନା, ଖାତାକୁ ଆସିଲା ପ୍ରଥମ କିସ୍ତି

ଭୁବନେଶ୍ବର: ଆରମ୍ଭ ହେଲା ସୁଭଦ୍ରା ଯୋଜନା । ଜନ୍ମ ଦିନରେ ମହିଳାଙ୍କୁ ସୁଭଦ୍ରା ଭେଟି ଦେଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମୈଦାନରେ ଏହାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ 11ଜଣ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି । 5000 ଟଙ୍କା ପାଇଲେ ମହିଳା । ମୋଟ 1250 କୋଟି ଟଙ୍କା ଦେଇଛନ୍ତି ମୋଦୀ ସରକାର । ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶୃତି ଦେଇଥିବା ବେଳେ ଆଜି ପୂରଣ କରିଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ହିତାଧିକାରୀ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ । ଡାଇରେକ୍ଟ ବେନିଫିଟ୍ସ ଟ୍ରାନ୍ସଫର ଜରିଆରେ ଏହା ହିତାଧିକାରୀଙ୍କ ଖାତାରେ ଜମା ହୋଇଛି । ଆଜି ପ୍ରଥମ କିସ୍ତିରେ 5ହଜାର ଟଙ୍କା ମିଳିଥିବା ବେଳେ ବର୍ଷକୁ ଦୁଇଟି କିସ୍ତିରେ 10 ହଜାର ଟଙ୍କା ମିଳିବ । ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ପାଞ୍ଚ ବର୍ଷରେ ମୋଟ 50 ହଜାର ଟଙ୍କା ମିଳିବ । କହିରଖୁଛୁ କି, ସକାଳ ପ୍ରାୟ 10ଟା 30 ମିନିଟ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ମୋଦୀ । ସେଠାରୁ ସିଧାସଳଖ ଗାଡକଣ ବସ୍ତି ଯାଇଥିଲେ । ଏଠାରେ ଆବାସ ହିତାଧିକାରୀଙ୍କୁ ଭେଟି ପୁନଃ ଭୁବନେଶ୍ବର ଜନତା ମୈଦାନକୁ ଆସିଥିଲେ । ତେବେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ବିମାନବନ୍ଦର ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରୁ ପୁଣି ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.