fbpx

ବର୍ଷା ଯୋଗୁଁ D/L ମେଥଡରେ ଜିତିଲା ପଞ୍ଜାବ କିଙ୍ଗସ: ହାସଲ କଲା ସିଜନର ପ୍ରଥମ ବିଜୟ

ମୋହାଲୀ: ଆଇପିଏଲ-୨୦୨୩ର ଦ୍ୱିତୀୟ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ । ବର୍ଷା ଯୋଗୁଁ ଡ/ଏଲ ନିୟମ ଅନୁସାରେ କୋଲକାତା ନାଇଟ ରାଇଡର୍ସକୁ ମାତ୍ ଦେଇଛି ଗବର ସେନା । ଏହି ମ୍ୟାଚରେ ଦ୍ୱିତୀୟ ଇନିଂସରେ ୪ ଓଭର ବାକି ଥିବା ବେଳେ କୋଲକାତା ନାଇଟ ରାଇଡର୍ସ ପାଇଁ କାଳ ସାଜିଛି ବର୍ଷା । ହଠାତ ପଡିଆରେ ଜୋରଦାର ବର୍ଷା ହେବାରୁ ମ୍ୟାଚ ଅଧାରୁ ରୋକାଯାଇଥିଲା । ଯାହାର ଭରପୂର ଫାଇଦା ପାଇଛି ଶିଖର ସେନା ।

ପଞ୍ଜାବର ୧୯୨ ରନକୁ ପିଛା କରି କୋଲକାତା ୧୬ ଓଭରରେ ୭ ୱିକେଟ ହରାଇ ୧୪୬ ରନ ସଂଗ୍ରହ କରି ସାରିଥିଲା । ଶାର୍ଦ୍ଦୁଳ ଠାକୁର ଏବଂ ସୁନୀଲ ନାରିନ ମଇଦାନରେ ଉପସ୍ଥିତ ଥିବା ବେଳେ ହଠାତ ଝମାଝମ ବର୍ଷା କୋଲକାତାର ବିଜୟ ସ୍ୱପ୍ନକୁ ଛାରଖାର କରି ଦେଇଛି । ଏହି ସମୟରେ ମ୍ୟାଚକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅମ୍ପାୟାର । ତେବେ ପରେ ମ୍ୟାଚ ଆଉଥରେ ଆରମ୍ଭ ହୋଇପାରି ନଥିବାର ଡକୱର୍ଥ ଲୁଇସ ନିୟମ ଅନୁସାରେ ପଞ୍ଜାବ କିଙ୍ଗସକୁ ବିଜୟୀ ଘୋଷଣା କରାଯାଇଛି । ୧୬ ଓଭର ସୁଦ୍ଧା କୋଲକାତା ଭଲ ସ୍କୋର କରିଥିଲେ ମଧ୍ୟ ମାତ୍ର ୭ ରନ ପଛରେ ରହି ଯାଇଥିଲା । ଫଳରେ ଏହାର ଫାଇଦା ହାସଲ କରିଛି ଶିଖର ସେନା । ମ୍ୟାଚକୁ ୭ ରନରେ ବିଜୟୀ ହୋଇ ବାଜି ମାରି ନେଇଛି ପଞ୍ଜାବ କିଙ୍ଗସ ।

ପଞ୍ଜାବ ପକ୍ଷରୁ ଭାନୁକା ରାଜପକ୍ଷେ ଏକ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଶିଖର ଧୱନ ୪୦ ରନ କରିଥିଲେ । ଏହାବ୍ୟତୀତ ଜିତେଶ ଶର୍ମା ଏବଂ ଅନ୍ୟ ଖେଳାଳି ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ତେବେ ଜବାବରେ କୋଲକାତା ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଆନ୍ଦ୍ରେ ରସେଲ ଏବଂ ଭେଙ୍କଟେଶ ଆୟର ୩୦ ଉପରକୁ ରନ କରିବାରେ ସଫଳ ହୋଇଥିଲେ । ତେବେ ଅଧିନାୟକ ନିତିଶ ରାଣା(୨୪) ଏବଂ ଓପନର ଗୁରବାଜ ୨୨ ରନ କରି ଆଉଟ ହୋଇଛନ୍ତି । ଏକ ଭଲ ପାର୍ଟନରସିପ ଗଢିବାରେ କୋଲକାତା ବିଫଳ ହୋଇଥିବାରୁ ଏହି ମ୍ୟାଚରେ ପରାଜୟର ସାମନା କରିବାକୁ ପଡିଛି । ପଞ୍ଜାବର ଅର୍ଶଦୀପ ସିଂହ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.