fbpx

୨୦ ଏପ୍ରିଲ କହିବ ରାହୁଲଙ୍କ ଭବିଷ୍ୟତ: ୨ ବର୍ଷର ଜେଲ ଦଣ୍ଡାଦେଶ ହେବ କି ଛାଡ଼ ପାଇବେ, କୋର୍ଟ କରିବେ ଫାଇନାଲ ଶୁଣାଣି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଗତ ମାନହାନୀ ମାମଲାର ଶୁଣାଣି ଆଜି ସୂରତ ସେଶନ କୋର୍ଟରେ ଚାଲିଥିଲା । ଗତ ମାସ ୨୩ ତାରିଖରେ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ଫଳରେ ଏହାପରେ ୨୪ ତାରିଖରେ ରାହୁଲ ଲୋକସଭା ସଦସ୍ୟ ପଦ ହରାଇଥିଲେ । ତେବେ ରାହୁଲଙ୍କୁ ହୋଇଥିବା ୨ ବର୍ଷର ଜେଲଦଣ୍ଡ ଉପରେ ରୋକ ଲାଗିବା ନେଇ ଆଗତ ଯାଚିକା ଉପରେ ଆଜି ସୂରତ ସେଶନ କୋର୍ଟ ଶୁଣାଣି କରିଥିଲେ ।

ସୂଚନା ମୁତାବକ, ମୋଦୀ ସରନେମ ମାମଲାରେ ରାହୁଲଙ୍କ ଜେଲଦଣ୍ଡାଦେଶ ଉପରେ ରୋକ ଲାଗିବା ନେଇ ଯାଚିକା ଦାୟର ହୋଇଥିଲା । ଏହି ମାମଲାର ଶୁଣାଣି ଆଜି ସୂରତ ସେଶନ କୋର୍ଟରେ ସମାପ୍ତ ହେବା ସହ କୋର୍ଟ ଏହାର ନିଷ୍ପତ୍ତି ଆସନ୍ତା ୨୦ ତାରିଖରେ ନେବେ । ୨୦ ତାରିଖରେ ରାହୁଲଙ୍କ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇଯିବ । ରାହୁଲ ଦୁଇ ବର୍ଷ ଜେଲଦଣ୍ଡ ଭୋଗିବେ କି ଛାଡ଼ ପାଇବେ ତାହା ଆଉ ୭ ଦିନ ପରେ ଜଣାପଡ଼ିବ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ରାହୁଲ କର୍ଣ୍ଣାଟକର ଏକ ନିର୍ବାଚନୀ ରାଲିରେ କହିଥିଲେ ନୀରବ ମୋଦୀ, ନରେନ୍ଦ୍ର ମୋଦୀ, ଲଳିତ ମୋଦୀଙ୍କ ସରନେମ କମନ୍ କ’ଣ ପାଇଁ? ଚାରିଜଣ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଛି? ତେବେ ରାହୁଲଙ୍କ ଏହି ବୟାନ ପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ଏକ ମାନହାନୀ ମାମଲା ଦାୟର କରିଥିଲେ । ଏହି ମାମଲାରେ ରାହୁଲଙ୍କୁ ଆଇପିସିର ଧାରା ୪୯୯ ଓ ୫୦୦ ଅଧିନରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ବୀର ସଭରକରଙ୍କ ବିରୋଧରେ ବୟାନ ଦେଇଥିବାରୁ ଗତକାଲି ପୁଣେ କୋର୍ଟରେ ସଭରକରଙ୍କ ନାତି ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ଦାୟର କରିଥିଲେ ।

Get real time updates directly on you device, subscribe now.