fbpx
BSKY SKY
BSKY SKY

କରୋନାକୁ ନେଇ ରାହୁଲ ଗାନ୍ଧି ଜାରି କଲେ ଶ୍ୱେତପତ୍ର, ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ଚେତାବନୀ

BSKY

ନୂଆଦିଲ୍ଲୀ: କଂଗ୍ରେସର ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋଭିଡ୍-୧୯ ମହାମାରୀ ସ୍ଥିତିକୁ ନେଇ ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏହି ଅବସରରେ ରାହୁଲ କେନ୍ଦ୍ର ସରକାରଙ୍କୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି । ସରକାରଙ୍କ ତରଫରୁ ଗରିବ ଲୋକଙ୍କ ସହାୟତା ନେଇ କୌଣସି ସମସ୍ୟା ରହିବା ଅନୁଚିତ । କୋଭିଡ୍ କାରଣରୁ ନିସହାୟ ହୋଇଯାଇଥିବା ପରିବାରଙ୍କୁ ଉପଯୁକ୍ତ ସାହାଯ୍ୟ ପ୍ରଦାନ ପାଇଁ ସରକାର ଏକ କୋଭିଡ୍ କୋଷ ସ୍ଥାପନ କରିବା ଆବଶ୍ୟକ ବୋଲି ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ରାହୁଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହି ଶ୍ୱେତପତ୍ରର ଉଦ୍ଦେଶ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇବା ନୁହେଁ । ସରକାରଙ୍କ ଭୁଲକୁ ଚିହ୍ନଟ କରିବା ଦ୍ୱାରା ପରବର୍ତ୍ତୀ ସମୟରେ ତାହାର ସଂଶୋଧନ ହୋଇପାରିବ । କୋଭିଡ୍-୧୯ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରରେ ସରକାରଙ୍କ କାର୍ଯ୍ୟଶୈଳୀ ତ୍ରୁଟିପୂର୍ଣ୍ଣ ରହିଥିଲା । ଦ୍ୱିତୀୟ ଲହର ଆସିବା ନେଇ ପୂର୍ବରୁ ବୈଜ୍ଞାନିକ ଓ ଚିକିତ୍ସକମାନେ ମତ ଦେଇଥିଲେ ବୋଲି ସମଗ୍ର ଦେଶବାସୀ ଅବଗତ ଅଛନ୍ତି । ମାତ୍ର ସରକାର ସେ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନଥିଲେ, ଯାହାର କୁପରିଣାମ ଆଜି ଆମେ ସମସ୍ତେ ଭୋଗୁଛେ ।

ଆଗକୁ କରୋନାର ତୃତୀୟ ଲହର ଆସିବା ନିଶ୍ଚତ ବୋଲି ଦେଶବାସୀ ଜାଣିଛନ୍ତି । ଦିନକୁ ଦିନ ଭାଇରସ୍ ନିଜର ରୂପ ପରିବର୍ତ୍ତନ କରୁଛି । ତେଣୁ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତି କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ । ଅକ୍ସିଜେନ, ଔଷଧ, ବେଡ୍ ଆଦିର ସମସ୍ୟା ଯେପରି ନହୁଏ, ସେଥିପାଇଁ ଆଜିଠାରୁ ଧ୍ୟାନ ଦେବା ଦରକାର । ଏହି ସମୟରୁ ଦେଶରେ ଟିକାକରଣର ଗତି ବଢ଼ାଇବା ଦରକାର । ଶ୍ୱେତପତ୍ର ମୁଖ୍ୟତଃ ୪ଟି ପଏଣ୍ଟ ଉପରେ ଆଧାରିତ । ପ୍ରଥମରେ, ତୃତୀୟ ଲହର ପ୍ରସ୍ତୁତି, ଦ୍ୱିତୀୟରେ ଗରିବ ତଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା, ତୃତୀୟରେ କୋଭିଡ୍ ସହାୟତା କୋଷ ସ୍ଥାପନା ଓ ଚତୁର୍ଥରେ ପ୍ରଥମ, ଦ୍ୱିତୀୟ ଲହରର ଭୁଲକୁ ସଂଶୋଧନ କରିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।

Get real time updates directly on you device, subscribe now.