fbpx

ଦୁଇ ବର୍ଷ ଜେଲ ଦଣ୍ଡ ପରେ ରାହୁଲ ଗାନ୍ଧୀଙ୍କୁ ଦ୍ୱିତୀୟ ଝଟକା, ହରାଇଲେ ଲୋକସଭା ସଦସ୍ୟତା

ନୂଆଦିଲ୍ଲୀ: ‘ମୋଦୀ ସରନେମ’ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଛନ୍ତି। ଏହି ମାମଲାରେ ଗତକାଲି ସୁରତ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ସଜା ଶୁଣାଇବା ପରେ ଆଜି ରାହୁଲଙ୍କ ପାଇଁ ଏହା ଦ୍ୱିତୀୟ ଝଟକା। ଧାରା 102(1)(e) ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ରାହୁଲ ଗାନ୍ଧୀ କେରଳର ୱାୟାନାଡର ସାଂସଦ ଥିଲେ। ଗତକାଲି ଗୁଜରାଟର ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବୃତ୍ତି ପାଇଁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ଉଚ୍ଚ ନ୍ୟାୟାଳୟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ୩୦ ଦିନ ସମୟ ମଧ୍ୟ ଦେଇଥିଲେ।

ଏହି ମାମଲା ୨୦୧୯ର ଅଟେ, ଯେତେବେଳେ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ସମସ୍ତ ଚୋରଙ୍କ ନାମ କିପରି ମୋଦୀ ହୋଇପାରିବ? ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାମଲା ଗୁଜୁରାଟରେ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ଦାଖଲ କରିଥିଲେ। ତେବେ ରାହୁଲଙ୍କୁ କୋର୍ଟ ଦୁଇ ବର୍ଷ ସଜା ଶୁଣାଇବା ପରେ ତୁରନ୍ତ ବେଲ୍ ମଧ୍ୟ ମିଳିଯାଇଥିଲା।

କ’ଣ ରହିଛି ନିୟମ ?

ସୁରତ କୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଟଳମଳ ହୋଇଯାଇଥିଲା। ତେବେ ଲୋକ ପ୍ରତିନିଧୀ ଅଧିନିୟମ ଅନୁଯାୟୀ, ଯଦି ସାଂସଦ ଏବଂ ବିଧାୟକମାନଙ୍କୁ ୨ ବର୍ଷରୁ ଅଧିକ ସମୟ ପାଇଁ ଦଣ୍ଡିତ କରାଯାଏ, ତେବେ ସେମାନଙ୍କର ସଦସ୍ୟତା (ସଂସଦ ଏବଂ ବିଧାନସଭା ରୁ) ସଦସ୍ୟତା ହରାଇବେ। କେବଳ ଏତିକି ନୁହେଁ, ଦଣ୍ଡ ଅବଧି ସମାପ୍ତ ହେବା ପରେ ସେମାନେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ମଧ୍ୟ ଅଯୋଗ୍ୟ ଅଟନ୍ତି।

ରାହୁଲ ଗାନ୍ଧୀ ଲୋକସଭାରେ ସଦସ୍ୟତା ହରାଇବା ପରେ କଂଗ୍ରେସ ଏହାର ପ୍ରତିକ୍ରିୟା ରଖିଛି । କଂଗ୍ରେସ କହିଛି ଯେ, ଅପେକ୍ଷା କରନ୍ତୁ, ଗୁଜରାଟ ସେସନ୍ସ କୋର୍ଟଙ୍କ ନିଷ୍ପତି ବଦଳିବ ଏବଂ ରାହୁଲ ଗାନ୍ଧୀ ଆହୁରି ସୁଦୃଢ଼ ହୋଇ ପ୍ରତ୍ୟାବର୍ତ୍ତନ କରିବେ । ଏବେ ଦେଶରେ ସତ କହିଲେ ଦଣ୍ଡ ମିଳୁଛି । ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସତ କହିବା ପାଇଁ ଦଣ୍ଡ ମିଳିଛି । ରାହୁଲ ଦେଶ ସାମ୍ନାରେ ସତ୍ୟ ରଖିଛନ୍ତି । ତେବେ ବିରୋଧିଙ୍କ ସ୍ୱର ଚାପିଦେବାକୁ ଉଦ୍ୟମ ହେଉଥିବା କଂଗ୍ରେସ କହିଛି ।

Get real time updates directly on you device, subscribe now.