fbpx

୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ହେବେ PM ଚେହେରା: କମଲନାଥଙ୍କ ବୟାନକୁ ନେଇ ରାଜନୀତି ହଲଚଲ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପରିସ୍ଥିତି ସେତିକି ଉଷ୍ମ ହେବାରେ ଲାଗିଛି । ତେବେ ଗୋଟିଏ ପଟେ ପିଏମ୍ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇ ସାରିଥିବା ବେଳେ ବିରୋଧୀ ପକ୍ଷର ଚେହେରା ସ୍ପଷ୍ଟ ହୋଇ ପାରୁନାହିଁ । ମୋଦୀଙ୍କ ସହ ମୁକାବିଲା କରିବା ପାଇଁ ବିରୋଧୀ ଶିବିର ଏକତ୍ର ହୋଇ ପାରୁ ନାହାନ୍ତି ।

ବିପକ୍ଷ ମହାମେଣ୍ଟର ମୁଖ୍ୟ ଚେହେରା ରେସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପରି ବଡ଼ ବଡ଼ ନେତା ରହିଛନ୍ତି । ତେବେ ଏହା ମଧ୍ୟରେ କଂଗ୍ରେସ ଶିବିରରୁ ଏକ ବଡ଼ ବୟାନ ଆସିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ବିରୋଧୀ ପକ୍ଷରୁ ପକ୍ଷରୁ ପିଏମ୍ ଚେହେରା ହେବେ । ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଶଂସା କରିବା ସହ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ।

ତେବେ କମଲନାଥଙ୍କ ଏହି ବଡ଼ ମନ୍ତବ୍ୟକୁ ନେଇ ଏବେ ଦେଶର ଟପ୍ ଲିଡରଙ୍କ ମଧ୍ୟରେ ଛନକା ପଶିଯାଇଛି । ମମତା, କେଜ୍ରି ଓ ନୀତିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ଏବେ ରାହୁଲ ଏହି ରେସରେ ଏଣ୍ଟ୍ରି ମାରିବା ସେମାନଙ୍କ ପାଇଁ ଚିନ୍ତାଜନକ ପରିସ୍ଥିତି ହୋଇପାରେ । ତେବେ ରାହୁଲ କ୍ଷମତା ପାଇଁ ନୁହେଁ, ବରଂ ଦେଶର ସାଧାରଣ ଜନତାଙ୍କ ପାଇଁ ରାଜନୀତି କରୁଛନ୍ତି ବୋଲି କମଲନାଥ କହିଛନ୍ତି । ଏହି ଅବସରରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସେ ଗଦ୍ଦାର ଆଖ୍ୟା ଦେଇଥିଲେ ।

Get real time updates directly on you device, subscribe now.