fbpx

ରାଜସ୍ଥାନ: ମନ୍ତ୍ରୀପଦରୁ ଇସ୍ତଫା ଦେଲେ କିରୋଡ଼ୀ ଲାଲ ମୀଣା

Advertisement

ନୂଆଦିଲ୍ଲୀ: ରାଜସ୍ଥାନରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ଗ୍ରାମ୍ୟ ବିକାଶ ଓ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିରୋଡ଼ୀ ଲାଲ ମୀଣା । ଶ୍ରୀ ମୀଣା ୧୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଏବେ ସେ ସାର୍ବଜନିକ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ନେତାମାନେ ଲଗାତର ଭାବେ ଶ୍ରୀ ମୀଣାଙ୍କ ଇସ୍ତଫା ଦାବି କରି ଆସୁଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବ ରାଜସ୍ଥାନର ୭ଟି ଆସନରୁ ଯଦି ବିଜେପି ଗୋଟିଏ ଆସନରେ ପରାଜୟବରଣ କରେ, ତେବେ ସେ ଇସ୍ତଫା ଦେବେ ବୋଲି ନିର୍ବାଚନ ସମୟରେ ଶ୍ରୀ ମୀଣା କହିଥିଲେ । ଦୌସା ଆସନରୁ ବିଜେପି ପରାଜୟ ବରଣ କରିଥିଲା ।

ବିଜେପି ଉକ୍ତ ୭ଟି ଆସନ ମଧ୍ୟରୁ ୪ଟିରେ ହାରିଯାଇଥିଲା । ସେଥିମଧ୍ୟରେ ଦୌସା, କରୌଲୀ-ଧୌଲପୁର, ଟୋଙ୍କ-ସବଈ ମାଧୋପୁର ଓ ଭରତପୁର ଆସନ ସାମିଲ ରହିଛି । ଏହା ପୂର୍ବରୁ ଶ୍ରୀ ମୀଣାଙ୍କୁ କ୍ୟାବିନେଟ ବୈଠକରେ ସାମିଲ ନହେବାର କାରଣ ବିଷୟରେ ପ୍ରଶ୍ନ କରାଯାଇଥିଲା । ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରି ଥିବାରୁ କ୍ୟାବିନେଟ ବୈଠକରେ ସାମିଲ ହୋଇ ନଥିଲେ ବୋଲି କହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିବେ ନାହିଁ ବୋଲି ତାଙ୍କୁ କହିଥିବା ଶ୍ରୀ ମୀଣା କହିଥିଲେ ।

Get real time updates directly on you device, subscribe now.