fbpx

ରାମ ମନ୍ଦିର ଉପରେ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା: କହିଲେ-‘ମନ୍ଦିରଗୁଡିକ ଚାକିରି ସୃଷ୍ଟି କରିବେ ନାହିଁ’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା ସାମ ପିଟ୍ରୋଡା ରାମ ଏବଂ ହନୁମାନଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ। ଆମେରିକାରେ ଏକ ଇଭେଣ୍ଟ ସମୟରେ ପିଟ୍ରୋଡା କହିଛନ୍ତି ଯେ ରାମ ମନ୍ଦିର ଏବଂ ହନୁମାନ ଯୁବକମାନଙ୍କୁ ଚାକିରି ଯୋଗାଇ ପାରିବେ ନାହିଁ। ତାଙ୍କର ଏହି ବୟାନ ଉପରେ ବିଜେପି କଂଗ୍ରେସକୁ ସଣ୍ଡୁଆସି ଆକ୍ରମଣ କରିଛି। ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି ଯେ, ‘ଏହା ହିନ୍ଦୁମାନଙ୍କ ବିରୁଦ୍ଧରେ ବିଷ ଓଗାଳିବା ଏବଂ ମନ୍ଦିରକୁ ବଦନାମ କରିବା ଚିନ୍ତାଧାରାରେ ପିଟ୍ରୋଡା କାମ କରୁଛନ୍ତି।’

ଭାରତରେ ବିକାଶ ଏବଂ ଅର୍ଥନୀତି ସହ ଜଡିତ ପ୍ରସଙ୍ଗକୁ ଅଣଦେଖା କରି ମୋଦୀ ସରକାର କେବଳ ଧାର୍ମିକ ପ୍ରସଙ୍ଗ ଅସ୍ତ୍ର କରୁଛନ୍ତି ବୋଲି ପିଟ୍ରୋଡା କହିଥିଲେ। ସେ କହିଛନ୍ତି ଯେ ‘ବେକାରୀ, ଦରଦାମ୍, ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆମର ସମସ୍ୟା ରହିଛି, କିନ୍ତୁ କେହି ଏହା ବିଷୟରେ କହିବାକୁ ଚାହାଁନ୍ତି ନାହିଁ। ସମସ୍ତେ ରାମ ମନ୍ଦିର ଏବଂ ହନୁମାନଙ୍କ ବିଷୟରେ ଆଲୋଚନା କରୁଛନ୍ତି। ତେବେ ଏହା ଉପରେ ମୁଁ କହିବି ଯେ, ମନ୍ଦିରଗୁଡ଼ିକ ଯୁବକମାନଙ୍କୁ ଚାକିରି ଦେବେ ନାହିଁ। ବିଶେଷ କଥା ହେଉଛି ଯେତେବେଳେ ପିଟ୍ରୋଡା କହୁଥିଲେ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ତେବେ ପିଟ୍ରୋଡାଙ୍କ ଏହି ବୟାନ ପରେ ବିଜେପି ନେତା ଅମିତ ମାଲବ୍ୟ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଭାରତ ଅନେକ ବିକଶିତ ଦେଶ ଅପେକ୍ଷା ଭଲ ପ୍ରଦର୍ଶନ କରୁଛି। ଏଥିରେ ଅମିତ ମାଲବ୍ୟ ବର୍ତ୍ତମାନ ଭାରତର ମୁଦ୍ରାସ୍ଫୀତି ସମ୍ବନ୍ଧରେ ଅନେକ ତଥ୍ୟ ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀ ଆମେରିକୀୟ ଗସ୍ତରେ ରହିଛନ୍ତି। ସେ ଆମେରିକାରୁ ମୋଦୀ ସରକାର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଆଗକୁ ଚଳିତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆମେରିକା ଗସ୍ତ କରିବେ। ୱାଶିଂଟନରେ ସେ ଆମେରିକା କଂଗ୍ରେସର ମିଳିତ ବୈଠକରେ ସମ୍ବୋଧିତ କରିବେ।

 

Get real time updates directly on you device, subscribe now.