fbpx

(Video) ଅଯୋଧ୍ୟାରେ ହଠାତ୍ ପହଞ୍ଚିଗଲେ ରାମ: ଶହ ଶହ ଲୋକ ଦୌଡ଼ିଯାଇ ପାଦ ଛୁଇଁ କାନ୍ଦିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବଡ଼ ଧୂମଧାମରେ ପାଳିତ ହେବ । ଏହି ଭବ୍ୟ ଉତ୍ସବରେ ଦେଶ ବିଦେଶର ବହୁ ସାଧୂସନ୍ଥ, ବ୍ରାହ୍ମଣ ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ । ଅଯୋଧ୍ୟାରେ ପହଞ୍ଚିବା ପରେ ସମସ୍ତ ଅତିଥିଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରାଯିବ । ପ୍ରତିଷ୍ଠା ଦିବସରେ ଘରେ ଘରେ ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି ।

ତେବେ ଏହା ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ଦୂରଦର୍ଶନରେ ପ୍ରସାରିତ ହୋଇଥିବା ସର୍ବାଧିକ ଲୋକପ୍ରିୟ ଧାରାବାହିକ ‘ରାମୟଣ’ର ରାମ । ରାମ ଭୂମିକାରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟରେ ରହିଥିବା ଅଭିନେତା ଅରୁଣ ଗୋଭିଲ ଅଯୋଧ୍ୟାରେ ପହଞ୍ଚିବା ପରେ ଲୋକମାନେ ନିଜକୁ ସମ୍ଭାଳି ପାରିନଥିଲେ । ଶହ ଶହ ଲୋକ ତାଙ୍କ ନିକଟକୁ ଦୌଡ଼ିଯାଇ ପାଦ ଛୁଇଁବା ସହିତ କାନ୍ଦି ପକାଇଥିଲେ । ସିରିଏଲରେ ଅଭିନୟ କରିଥିବା ଏହି ରାମଙ୍କୁ ଅନେକ ଲୋକ ସତ ସତିକା ରାମଙ୍କ ପରି ଭଲ ପାଇବା ସହିତ ଭକ୍ତି କରିଥିଲେ ।

ଅରୁଣଙ୍କ ଅଯୋଧ୍ୟା ଆଗମନର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କ ବେକରେ ଫୁଲମାଳ ପକାଇ ଭକ୍ତିର ସହିତ ପାଦ ଛୁଉଁଥିବା ଦେଖାଯାଇଥିଲା । ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଧାରାବାହିକ ଦେଶର ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବେଶ୍ ପ୍ରଶଂସିତ ହୋଇଥିଲା । ଏଥିସହିତ ସେଥିରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କୁ ଆଜି ବି ଲୋକମାନେ ମନରୁ ଭୁଲିପାରି ନାହାନ୍ତି । ତାହାର ଜ୍ୱଳନ୍ତ ଉଦାହରଣ ଏବେ ଅରୁଣଙ୍କ ଅଯୋଧ୍ୟା ଆଗମନ ପରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.