fbpx

ନୂଆ ରୂପରେ ପରଦାକୁ ଆସିବ ‘ରାମାୟଣ’: ‘ରାମ’ଙ୍କ ସନ୍ଧାନରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର

ଓଡ଼ିଶା ଭାସ୍କର: ରାମାନନ୍ଦ ସାଗରଙ୍କ ରଚିତ ‘ରାମାୟଣ’ ଖୁବ ଲୋକପ୍ରିୟ ହୋଇ ପାରିଛି । ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏହି ରାମାୟଣର ପ୍ରତିଟି ଚରିତ୍ର । ଅରୁଣ ଗୋଭିଲ(ରାମ), ଦୀପିକା ଚିଖଲିୟା(ସୀତା)ଙ୍କ ସମେତ ଦାରା ସିଂହ(ହନୁମାନ) ଏବଂ ଅନ୍ୟ କଳାକାର ଧାରାବାହିକକୁ ଏକ ଉଚ୍ଚସ୍ତରରେ ପହଞ୍ଚାଇ ପାରିଥିଲେ । ଯାହା ଫଳରେ ଆଜି ମଧ୍ୟ ଏହି ଧାରାବାହିକ ସର୍ବଶ୍ରେଷ୍ଠ ରହିଛି । କିନ୍ତୁ ବର୍ତ୍ତମାନ ଏହି ମହାକାବ୍ୟକୁ ଆଉ ଏକ ନୂଆ ରୂପରେ ପରଦାକୁ ଆଣିବା ପାଇଁ ଯୋଜନା କରୁଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ୍ ସାଗର ।

ରାମାୟଣରେ ମହାକାବ୍ୟକୁ ସୁନ୍ଦର ରୂପରେ ଦର୍ଶାଇ ପାରିଥିଲେ ରାମାନନ୍ଦ ସାଗର ଏବଂ ଏହାର କଳାକାର । କିନ୍ତୁ ଏବେ ଏହାକୁ ଏକ ନୂଆ ରୂପ ଦେଇ ଦର୍ଶକଙ୍କ ପାଇଁ ଆଣିବାକୁ ଯାଉଛନ୍ତି ପ୍ରେମ୍ ସାଗର । ତେବେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା ଆଉ ଜଣେ ‘ରାମ’ଙ୍କ ସନ୍ଧାନରେ ରହିଛନ୍ତି ନିର୍ମାତା । ନୂଆ ‘ରାମାୟଣ’କୁ ନେଇ ପ୍ରେମ୍ ସାଗର କହିଛନ୍ତି ଯେ, ଏହା ଏକ ବଡ଼ ଚାଲେଞ୍ଜ ରହିବ, କାରଣ ଲୋକ ଏହାକୁ ନିଶ୍ଚୟ ତୁଳନା କରିବେ । ତେବେ ପ୍ରେମ ସାଗର ପ୍ରସ୍ତୁତ କରୁଥିବା ରାମାୟଣ ରାମାନନ୍ଦଙ୍କ ଦ୍ୱାରା ନିର୍ମିତ ପୂର୍ବ ରାମାୟଣ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରେମ ସାଗର କହିଛନ୍ତି ଯେ ସେଭଳି ଆଉ ଏକ ‘ରାମାୟଣ’ କେବେ ତିଆରି ହୋଇପାରିବ ନାହିଁ ଏବଂ ଏହାକୁ ପରିବର୍ତ୍ତନ କରିବା ମୁର୍ଖତା ହେବ। ତେଣୁ ଏହା ପରିବର୍ତ୍ତେ ନିର୍ମାତା ଅନ୍ୟ ବିକଳ୍ପ ସନ୍ଧାନରେ ରହିଛନ୍ତି । ଯେପରିକି ‘ମହାକାବ୍ୟ କଥା’, ଯାହାକୁ ସୀତା, ହନୁମାନ କିମ୍ବା ରାମାୟଣର ପ୍ରକୃତ ଭକ୍ତ କାକଭୁଷୁଣ୍ଡିଙ୍କ ଉପରେ ଆଧାରିତ ହୋଇପାରେ । ଏ ନେଇ ପ୍ରେମ ସାଗର ଏହାର ଏକ ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ମହାଯୁଦ୍ଧରେ ରାବଣଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ସୁର୍ପଣଖା ନାଚିଥିଲେ ଏବଂ ହସୁଥିଲେ ।

ପ୍ରେମ ସାଗର କହିଛନ୍ତି ଯେ, ଦର୍ଶକମାନେ ମଧ୍ୟ ଆଶ୍ଚର୍ୟ୍ୟ ହେବେ କାରଣ ଖୁବ୍ କମ୍ ଲୋକ ଜାଣନ୍ତି ଯେ ରାବଣ ସୁର୍ପଣଖାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ତେଣୁ, ଏହା ସେମାନଙ୍କ ପାଇଁ ଏକ ରହସ୍ୟ ଉଦଘାଟନ ହୋଇପାରେ । ରାମାୟଣରେ ସମସ୍ତ ନବରସ ରହିଛି । ଏହା ବ୍ୟତୀତ ରାମ, ଲକ୍ଷ୍ମଣଙ୍କ ପରି ଅନ୍ୟ ଚରିତ୍ରରେ କିଏ ଅଭିନୟ କରିବେ? ଏହା ମଧ୍ୟ ଏକ ଚାଲେଞ୍ଜ ରହିବ ବୋଲି ପ୍ରେମ ସାଗର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.