fbpx

ଆଜି PlayOff ପାଇଁ ଲଢିବେ ରାଣା-ସାମସନ୍: ଟପ୍-୪ରେ ସ୍ଥାନ ପାଇବା ପାଇଁ ହେବ କଡା ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୩ରେ ହେବ ଏକ କଡା ମୁକାବିଲା । ପ୍ଲେ-ଅଫ୍ ର ଟପ୍ ୪ ତାଲିକାରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଟିମ୍ । ଏହି ହାଇ ଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଯୁବ ଅଧିନାୟକ ନିତିଶ ରାଣା ଏବଂ ସଞ୍ଜୁ ସାମସନ୍ । ଆଇପିଏଲରେ ଦୁଇଥର ଚମ୍ପିଆନ ମୁକୁଟ ପିନ୍ଧିଥିବା କୋଲକାତା ନାଇଟ ରାଇଡର୍ସ ଆଜି ପ୍ରଥମ ଚମ୍ପିଆନ ରାଜସ୍ଥାନ ରୋୟଲ୍ସକୁ ଭେଟିବ । ଉଭୟ ଦଳ ପ୍ଲେ-ଅଫ ସ୍ୱପ୍ନ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।

ଚଳିତ ସିଜନରେ କର ବା ମର ପରିସ୍ଥିତିରେ ପହଞ୍ଚିବା ପରେ ଦମଦାର କମବ୍ୟାକ କରିଛି ନିତିଶ ସେନା । ସେପଟେ ରାଜସ୍ଥାନର ପ୍ରଦର୍ଶନ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ସାମାନ୍ୟ ତଳମୁହାଁ ହୋଇଛି । ତେବେ ଉଭୟ ଦଳ ପାଖରେ ପ୍ଲେ-ଅଫ ପାଇଁ ସୁଯୋଗ ରହିଛି ଏବଂ ଦମଦାର କ୍ଷମତାଶାଳୀ ଖେଳାଳିଙ୍କୁ ନେଇ ମଧ୍ୟ ଦୁଇଟି ଯାକ ଦଳ ସନ୍ତୁଳିତ ରହିଛି । ଏହାବ୍ୟତୀତ ଉଭୟ ଦଳ ଏବେ ବି ପ୍ଲେ-ଅଫ ରେସରେ ରହିଛନ୍ତି । ୧୧ଟି ମ୍ୟାଚ ଖେଳି ୫ଟି ଲେଖାଏଁ ବିଜୟ ହାସଲ କରିଛନ୍ତି ରାଜସ୍ଥାନ ଏବଂ କୋଲକାତା ନାଇଟ ରାଇଡର୍ସ । ତେବେ ୦.୩୮ ରନ ରେଟ ରାଜସ୍ଥାନକୁ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରଖିଥିବା ବେଳେ କୋଲକାତା ଏଥିରେ ପଛରେ ପଡିଯାଇଛି । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ବିଶେଷ କରି ରନ ରେଟକୁ ସୁଧାରିବା ପାଇଁ କୋଲକାତା ପାଖରେ ଏକ ବଡ ସୁଯୋଗ ମଧ୍ୟ ରହିଛି ।

ରାଜସ୍ଥାନ ଏବଂ କୋଲକାତା ମଧ୍ୟରେ ଆଜିର ଏହି ମ୍ୟାଚ ଖୁବ ରୋମାଞ୍ଚକର ହେବାକୁ ଯାଉଛି । ଏହି ମ୍ୟାଚରେ ବିଜୟଲାଭ କରିବା ଦଳ ପ୍ଲେ-ଅଫ ପାଇଁ ଆଉ ଏକ ପାଦ ଆଗକୁ ବଢାଇବ । ସେହିପରି ଅନ୍ୟ ଦଳ ପ୍ଲେ-ଅଫର ସ୍ୱପ୍ନ ଅଗ୍ନିପଥ ସଦୃଶ ହୋଇପଡିବ । ଏହି ମ୍ୟାଚରେ ବିଜୟ ହିଁ ଆଇପିଏଲ ଟ୍ରଫିର ଏକମାତ୍ର ଉପାୟ, ତେଣୁ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ଦର୍ଶକ ।

Get real time updates directly on you device, subscribe now.