fbpx

ଆଜି ଶ୍ରୀମନ୍ଦିରରେ କରାଯିବନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି: ସାରା ରାତି ଶ୍ରଦ୍ଧାଳୁ କରିବେ ଜଗା ଦର୍ଶନ

Advertisement

ଓଡିଶା ଭାସ୍କର(ପୁରୀ): ଆସନ୍ତାକାଲି ବା ସୋମବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେବେ ଯାହାକୁ ନେଇ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଆଜି ସନ୍ଧ୍ୟାରୁ ଆହୁରି ଭିଡ଼ ବଢିବା ନେଇ ଅନୁମାନ କରାଯାଉଛି। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ନ କରିବାକୁ ନିଷ୍ପତି ନିଆଯାଇଛି। ଶ୍ରଦ୍ଧାଳୁ ମାନେ ବିଳମ୍ବିତ ରାତି ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେବାୟତଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ସେପଟେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଯାତାୟାତ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଏହି ସୁରକ୍ଷା କାର୍ୟ୍ୟରେ ୩୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯେଉଁଥିରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ୬ ଜଣ ଅତିରିକ୍ତ ଏସ୍‌ପି ଓ ଡେପୁଟି କମାଣ୍ଟାଣ୍ଟ, ୧୮ ଡିଏସ୍‌ପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୩୨ ଜଣ ଇନ୍ସପେକ୍ଟର ଓ ସବ୍‌ ଇନ୍ସପେକ୍ଟର, ୧୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୯ ଜଣ ହାବିଲଦାର, ୧୬୭ ଜଣ କନଷ୍ଟେବଳ, ୫୪ ଜଣ ଟ୍ରାଫିକ କନଷ୍ଟେବଳ, ୪୩୨ ଜଣ ହୋମ୍‌ଗାର୍ଡ ନିୟୋଜିତ ହେବେ । ସମୁଦ୍ରକୂଳରେ ୪୦ ଜଣ ହୋମ୍‌ଗାର୍ଡ ରହିବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେହିପରି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିବ।

Get real time updates directly on you device, subscribe now.