ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ । ଲଗାତାର 11 ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରେପୋ ରେଟ୍କୁ 6.5 ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏମପିସି ବୈଠକ ପରେ ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହାର ଅର୍ଥ ଲୋନ EMIରେ କୌଣସି ପରିବର୍ତ୍ତନ ହେବନି । ଏଭଳି ପରିସ୍ଥିତିରେ ଯେଉଁମାନେ ଘର କିମ୍ବା କାର ପାଇଁ ଲୋନ ନେଉଥନ୍ତି ସେମାନେ ଇଏମଆଇରେ ଛାଡ ପାଇବେ । ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ । ରେପୋ ରେଟ୍ ଫେବୃଆରୀ 2023 ମସିହାରୁ ସ୍ଥିର ରହିଛି । ଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବ ନାହିଁ ।
କହିରଖୁଛୁ ଯେ, ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଆରବିଆଇରୁ ଟଙ୍କା ଋଣ କରନ୍ତି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ରେପୋ ରେଟ୍ ବ୍ୟବହାର କରିଥାଏ । ଯଦି ମୁଦ୍ରାସ୍ଫୀତି ବଢେ ତେବେ ଆରବିଆଇ ରେପୋ ରେଟ୍ ବୃଦ୍ଧି ପାଇପାରେ । ଯେଉଁ କାରଣରୁ ବ୍ୟାଙ୍କଗୁଡିକ ଅଧିକ ଗ୍ରାହକଙ୍କୁ ଅଧିକ ସୁଧ ହାରରେ ଋଣ ପ୍ରଦାନ କରିଥାନ୍ତି । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ।