fbpx
BSKY
BJD MC SKY
BJD YOUTH SKY

ବିଶିଷ୍ଟ ଗାନ୍ଧିବାଦୀ ନେତା ନିଶାକର ଦାସଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ନିଶାକର ଦାସ ଆଉ ନାହାନ୍ତି । କୋରାପୁଟ ସ୍ଥିତ ନିଜ ବାସଭବନରେ ନିଶାକର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ବୟସାଧିକ କାରଣରୁ ସେ ଗତ କିଛିମାସ ଧରି ଏକାଧିକ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ପୂର୍ବରୁ ତାଙ୍କ ନିକଟରେ ୩ ପୁଅ, ୩ ବୋହୁ, ଦୁଇ ଝିଅ ଓ ଜ୍ୱାଇଁ ଏବଂ ନାତିନାତୁଣୀମାନେ ଉପସ୍ଥିତ ରହିଥିଲେ ।

ନନ୍ଦପୁର ବ୍ଲକ ସ୍ଥିତ କୁଲାବିର ପଞ୍ଚାୟତର ପଦୁଆ ଗ୍ରାମରେ ନିଶାକର ତାଙ୍କର ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମରଶରୀରକୁ କୁଲାବୀର ଶବଦାହ ପଡ଼ିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ନିଶାକରଙ୍କ ମୃତ୍ୟୁରେ ସାରା ଜିଲ୍ଲାରେ ଶୋକର ଲହରୀ ଖେଳି ଯାଇଛି । ୧୯୨୧ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ସେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକର ସିଙ୍ଗିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ନିଶାକର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ । ସେ ସରଳା ଦେବୀ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା, ପଣ୍ଡିତ କୃପାସିନ୍ଧୁ ହୋତା, ଗୁଣନିଧି ମହାନ୍ତିଙ୍କ ପରି ଓଡ଼ିଆ ଜାତିର ବୀର ସନ୍ତାନଙ୍କର ଘନିଷ୍ଠ ସହଯୋଗୀ ଥିଲେ । ନନ୍ଦପୁର ବ୍ଲକର ଏକାଧିକ ଗ୍ରାମକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିବା କ୍ଷେତ୍ରରେ ନିଶାକରଙ୍କର ପ୍ରମୁଖ ଭୂମିକା ରହିଥିଲା । ୧୯୩୪ ମସିହାରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମୟରେ ସେ ମାତ୍ର ୧୩ ବର୍ଷର କିଶୋର ବୟସରେ ଗାନ୍ଧିଜୀଙ୍କ ବାନର ସେନାରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.