fbpx

Repo Rate ବଢ଼ାଇଲା RBI: କାର ଓ ହୋମ୍ ଲୋନ୍ ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ: ଦେଶ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛି । ତେବେ ଆରବିଆଇର ଏହି ଘୋଷଣା ଫଳରେ ଗ୍ରାହକଙ୍କ ପାଇଁ ଏଣିକି କାର ଓ ହୋମ ଲୋନ ଆହୁରି ମହଙ୍ଗା ହେବ । ଆଜି ଆରବିଆଇ ରେପୋ ରେଟ୍ ୦.୨୫ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡ଼ିଛି ।

ତେବେ ବର୍ତ୍ତମାନ ଦେଶରେ ମହଙ୍ଗା ଦର ହ୍ରାସ ପାଇଥିବା ବେଳେ ଆରବିଆଇ ରେପୋ ରେଟ ହାର ବୃଦ୍ଧି ଘୋଷଣା କରିଛି । ଏହି ଘୋଷଣା ପରେ ରେପୋ ରେଟ୍ ଏବେ ୬.୨୫ରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚି ଯାଇଛି । ଅର୍ଥାତ ହୋମ ଲୋନଠାରୁ ଆରମ୍ଭ କରି ଅଟୋ ଓ ପର୍ସନାଲ ଲୋନ ସବୁକିଛି ଏବେ ମହଙ୍ଗା ହୋଇଯିବ । ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଇଏମଆଇ ଭରିବାକୁ ପଡ଼ିବ । ନିକଟରେ ଦେଶର ସାଧାରଣ ବଜେଟ ଆଗତ ହୋଇଥିବା ବେଳେ ଆଜି ଅନୁଷ୍ଠିତ ହୋଇଥିବା ଆରବିଆଇର ମୁଦ୍ର ନୀତି ବୈଠକ (ଏମପିସି)ରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତିନିଦିନିଆ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆଜି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବୃଦ୍ଧି ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଥିଲେ । ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ମାସ ଏମପିସି ବୈଠକରେ ରେପୋ ରେଟ୍ ୫.୯୦ରୁ ୬.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଆରବିଆଇ ଗତ ଏକ ବର୍ଷ ମଧ୍ୟରେ ରେପୋ ରେଟରେ ମୋଟ ୨.୫୦ ପ୍ରତିଶତ ବୃଦ୍ଧି କରିସାରିଲାଣି । ରେପୋ ରେଟର ଏହି ବୃଦ୍ଧି ପ୍ରସ୍ତାବକୁ ଏମପିସି ବୈଠକର ୬ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ସମର୍ଥନ କରିଥିଲେ ।

Get real time updates directly on you device, subscribe now.