fbpx
BJD SKY
BJD SKY

ଓଡ଼ିଶାରୁ ଚିହ୍ନଟ ହେଲା ଅଧିକ ଅମଳକ୍ଷମ ଓ ପୁଷ୍ଟିକର ମାଣ୍ଡିଆ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ବଡ଼ ସଫଳତା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆକୁ ନେଇ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିବା ସହ ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିଛନ୍ତି । ସେହି ହିସାବରେ ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖରେ ମାଣ୍ଡିଆ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ପାଞ୍ଚ ବର୍ଷରେ ରାଜ୍ୟ ସରକାର ମିଲେଟ ମିଶନରେ ୨୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ତେବେ ଗୋଟିଏ ପଟେ ରାଜ୍ୟ ସରକାର ମାଣ୍ଡିଆ ଚାଷର ପ୍ରସାର ପ୍ରଚାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ଆସିଛି ଏକ ବଡ଼ ଖବର । କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମାଣ୍ଡିଆ ଉପରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବିଶ୍ୱବିଦ୍ୟାଳୟର ଗବେଷକମାନେ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ମାଣ୍ଡିଆକୁ ଚିହ୍ନଟ କରିଛନ୍ତି । କୋରାପୁଟର ମାଳଭୂମିରେ ଚାଷ ହେଉଥିବା ତେଲୁଗୁ, ବଡ଼ ଓ ଦଶରା ଏହି ତିନୋଟି ପ୍ରଜାତି ମାଣ୍ଡିଆରେ ଅଧିକ ପୋଷକ ତତ୍ତ୍ୱ ରହିଥିବା ଜଣାପଡ଼ିଛି । ଏହା ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବ ବୋଲି କୁହାଯାଉଛି ।

ପୂର୍ବଘାଟ ମାଳଭୂମିର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁ ପୂରାତନ କାଳରୁ ବିଭିନ୍ନ କିସମର ମାଣ୍ଡିଆ ଚାଷ କରିଆସୁଛନ୍ତି । ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳ ସଂରକ୍ଷଣ ବିଭାଗ ପକ୍ଷରୁ ଗତ ୧୦ ବର୍ଷ ଧରି ବିଭିନ୍ନ ଦେଶୀ ପ୍ରଜାତିର ମାଣ୍ଡିଆର ସଂରକ୍ଷଣ, ଅମଳ ଓ ଗୁଣାତ୍ମକ ମାନ ଉପରେ ଗବେଷଣା କରାଯାଇଥିଲା । ତେବେ ନିକଟରେ କିଛି ପ୍ରମୁଖ ମାଣ୍ଡିଆର ଗୁଣାତ୍ମକ ମାନ ଉପରେ ତଥ୍ୟ ମିଳିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ଜଳବାୟୁ ପରିବର୍ତ୍ତନ ସମୟରେ ମଧ୍ୟ ଉକ୍ତ ମାଣ୍ଡିଆର ଉତ୍ପାଦନ ଉପରେ କିଛି ପ୍ରଭାବ ପଡ଼ିନଥିଲା । ଏହି ଗବେଷଣା ସମ୍ବନ୍ଧିତ ସମସ୍ତ ତଥ୍ୟ ଏକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.