fbpx

ଚିଠା ବିଜ୍ଞପ୍ତି ଜାରି କଲା ରାଜସ୍ୱ ବିଭାଗ: ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଆସିବ ‘ବଟା’ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଆବଣ୍ଟନ ନେଇ ରହିଥିବା ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ନିୟମରେ ସଂଶୋଧନ କରାଯିବ । ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି ।

ଗେଜେଟ ବିଜ୍ଞପ୍ତି ପରେ ଯାଇ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହୋଇପାରିବ । ସେଥିରେ ବିଭାଗ ପକ୍ଷରୁ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ନିୟମ-୧୯୬୨ର ୩୪ ପରେ କେତେକ ଉପଧାରା (କ୍ଲଜ) ଯୋଡ଼ାଯିବ । ଜଣେ ବସ୍ତିବାସିନ୍ଦାଙ୍କୁ ପ୍ରମାଣପତ୍ର ଅଧିକାର ମିଳିବ, ମାତ୍ର ଜମିର କିସମ ପରିବର୍ତ୍ତନ ହେବ ନାହିଁ, ଏଥିସହିତ ଏହା ଦାଖଲ ଖାରଜ ହୋଇ ପାରିବ ନାହିଁ । ବସ୍ତିବାସିନ୍ଦାଙ୍କୁ ସରକାରୀ ଖାତାରୁ ପ୍ରଦାନ କରାଯାଇଥିବା ଜମି ପରିମାଣ କଟାଯିବ ନାହିଁ । ନୂତନ ଖାତା ପ୍ରସ୍ତୁତ ହେବ ନାହିଁ, ମାତ୍ର ଏକ ନୂତନ ‘ବଟା’ ଖାତା କିମ୍ବା ‘ବଟା’ ପ୍ଲଟ ପ୍ରସ୍ତୁତ ହୋଇ ପାରିବ । ବସ୍ତିବାସିନ୍ଦାଙ୍କୁ ପ୍ରଦାନ କରାଯିବାକୁ ଥିବା ଜମି ପ୍ରମାଣପତ୍ର ସ୍ୱତ୍ୱରେ ବଟା ଖାତା ଦର୍ଶାଯାଇ ପାରିବ ।

ବସ୍ତିବାସିନ୍ଦାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ନିୟମ-୧୯୬୨ରେ ସଂଶୋଧନ କରାଯିବ । ବିଭାଗ ପକ୍ଷରୁ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ସଂଶୋଧିତ ନିୟମ-୨୦୨୩ ପ୍ରଣୟନ କରାଯିବ । ଏନେଇ ଯଦି କାହାର କିଛି ଆପତ୍ତି, ଅଭିଯୋଗ ରହିଥାଏ ତେବେ ସେ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଫର୍ମାଟରେ ସରକାରଙ୍କୁ ୩୦ ଦିନ ମଧ୍ୟରେ ଜଣାଇବାକୁ ଚିଠା ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.