fbpx

ରୋହିତ ନା ହାର୍ଦ୍ଦିକ… T20 WC-2024ରେ କିଏ ନେବେ ଟିମ ଇଣ୍ଡିଆର ନେତୃତ୍ୱ? ସ୍ପଷ୍ଟ କଲା BCCI

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ନେଇ ଲଗାତାର ବିବାଦ ଲାଗି ରହିଛି । ଆସନ୍ତା ଟି-୨୦ ବିଶ୍ୱକପରେ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ ? ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଏ ନେଇ ଆଲୋଚନା ସମାଲୋଚନା ଚାଲିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ବିଶ୍ୱକପରେ ଦଳର ନେତୃତ୍ୱ କିଏ ନେବେ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ବୋର୍ଡର ପ୍ଲାନ ବିଷୟରେ କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆର ଅଧିନାୟକଙ୍କ ନାଁ ମଧ୍ୟ ସେ ଘୋଷଣା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ହିଁ ଦଳର ନେତୃତ୍ୱ ନେବେ ବୋଲି ଜୟ ଶାହ ସ୍ପଷ୍ଟ କରିଛନ୍ତି । ଟି-୨୦ ବିଶ୍ୱକପରେ ରୋହିତଙ୍କୁ ନେତୃତ୍ୱଭାର ଦେବା ନେଇ ଜୟ ଶାହଙ୍କ ଏହି ବୟାନ ବିସିସିଆଇ ତରଫରୁ ସବୁଜ ସଂକେତ ବୋଲି କୁହାଯାଉଛି । ଏହାଦ୍ୱାରା ଟି-୨୦ ବିଶ୍ୱକପରେ ଅଧିନାୟକ ପଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି । ହାର୍ଦ୍ଦିକ ନୁହେଁ, ଦଳର ନେତୃତ୍ୱ ରୋହିତଙ୍କ ହାତରେ ରହିବ ବୋଲି ଜୟ ଶାହ ସୂଚନା ଦେଇଛନ୍ତି । ତେବେ ଦଳର ଉପ-ଅଧିନାୟକ ପଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇପାରେ ବିସିସିଆଇ ।

Get real time updates directly on you device, subscribe now.