fbpx

ଆଉ ଦିନିକିଆ ଖେଳିବେନି ରୋହିତ-ବିରାଟ? T-20 ଫର୍ମାଟରୁ ବି ନେଇପାରନ୍ତି ବିଦାୟ…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିବା ପରେ ମଧ୍ୟ ଦଳକୁ ବିଶ୍ୱକପ ଫାଇନାଲରେ ବିଜୟୀ କରିବାରେ ବିଫଳ ହୋଇଛନ୍ତି । ତେବେ ବିଶ୍ୱକପ ପରେ ଦିନିକିଆ ଏବଂ ଟି-୨୦ ଫର୍ମାଟରୁ ନିଜକୁ ଦୂରେଇ ରଖିଛନ୍ତି ଉଭୟ କ୍ରିକେଟର । ଏପରିକି ସାଉଥ ଆଫ୍ରିକା ବିପକ୍ଷ ସିରିଜ ପାଇଁ ବର୍ତ୍ତମାନ ଘୋଷଣା ହୋଇଥିବା ଦଳରୁ ମଧ୍ୟ ଉଭୟ ଖେଳାଳି ଓହରି ଯାଇଛନ୍ତି । ତେବେ ବିସିସିଆଇର ଏହି ଘୋଷଣା ପରେ ଫ୍ୟାନ୍ସମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି ।

ଗତବର୍ଷରୁ ଟି-୨୦ ଦଳରୁ ଲଗାତାର ଦୂରେଇ ରହୁଥିବା ବେଳେ ବର୍ତ୍ତମାନ ଦିନିକିଆରୁ ମଧ୍ୟ ଓହରିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ରୋହିତ ଏବଂ ବିରାଟ ଖେଳୁ ନଥିବା ବେଳେ ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ସେମାନେ ଅନୁପସ୍ଥିତ ରହୁଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ କେବଳ ଟେଷ୍ଟ ପାଇଁ ଉଭୟ ନିଜକୁ ଉପଲବ୍ଧ କରାଇଛନ୍ତି । ଏହାସହିତ କ୍ରିକେଟ ବୋର୍ଡ ନିକଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶ୍ରାମ ପାଇଁ ଅପିଲ୍ କରିଛନ୍ତି । ତେବେ ଟିମ ଇଣ୍ଡିଆର ଏହି ଦୁଇ ପ୍ରମୁଖ ଖେଳାଳିଙ୍କର ଏଭଳି ନିଷ୍ପତ୍ତି ଦର୍ଶକଙ୍କୁ ଚିନ୍ତାରେ ପକାଇ ଦେଇଛି । ଉଭୟ ଖେଳାଳି ସୀମିତ ଓଭର କ୍ରିକେଟରୁ ଖୁବଶୀଘ୍ର ଅବସର ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେବାରେ ଲାଗିଛି ।

ତେବେ ବୋର୍ଡ ତରଫରୁ କିମ୍ବା ଉଭୟ ଖେଳାଳିଙ୍କ ପକ୍ଷରୁ ଅବସର ନେଇ କୌଣସି ସଂକେତ ବା ଘୋଷଣା ହୋଇ ନଥିଲେ ମଧ୍ୟ ପ୍ରଶଂସକମାନଙ୍କ ମଧ୍ୟରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ରୋହିତ ଏବଂ ବିରାଟ ପୂର୍ବତନ ଅଦିନାୟକ ଏମ.ଏସ ଧୋନୀଙ୍କ ରାସ୍ତା ଆପଣାଇଥିବା କହୁଛନ୍ତି କ୍ରିକେଟପ୍ରେମୀ । କାରଣ ୨୦୧୯ ଦିନିକିଆ ବିଶ୍ୱକପ ପରାଜୟ ପରେ ଦୋନୀ ମଧ୍ୟ ବୋର୍ଡକୁ ଅନିର୍ଦ୍ଦିଷ୍ଟ ବିଶ୍ରାମ ପାଇଁ କହିଥିଲେ । ତେବେ ଅନେକ ଦିନ ଦଳରୁ ଦୂରେଇ ରହିବା ପରେ ୨୦୨୦ ଅଗଷ୍ଟ ୧୫ ତାରିକରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେଣୁ ରୋହିତ ଏବଂ ବିରାଟ ମଧ୍ୟ ସେହି ପନ୍ଥା ଅନୁସାରେ ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ, କେ.ଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ପ୍ରସିଦ୍ଧ କୃଷ୍ଣା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ: କେ.ଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ସର ପଟେଲ, ୱାଶିଂଟନ ସନଦର, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ ଖାନ୍, ଅର୍ଶଦୀପ ସିଂହ ଏବଂ ଦୀପକ ଚହର ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଋତୁରାଜ ଗାଏକ୍ୱାଡ, ତିଲକ ବର୍ମା, ରିଙ୍କୁ ସିଂହ, ଶ୍ରେୟସ ଆୟର, ଇଶାନ କିଶାନ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା(ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର ।

 

Get real time updates directly on you device, subscribe now.