fbpx

ଆଜିଠାରୁ ରାଜ୍ୟର ସମସ୍ତ ଟ୍ରେଜେରୀରେ ଇ-ଭାଉଚର ବ୍ୟବସ୍ଥା ବାଧ୍ୟତାମୂଳକ: ଅର୍ଥ ବିଭାଗର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଦିବସ ଅବସରରେ ରାଜ୍ୟ ସରକାର କିଛି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ବଡ଼ ପଦକ୍ଷେପ ହେଉଛି ‘ଇ-ଭାଉଚର’ ବ୍ୟବସ୍ଥା । ଆଜିଠାରୁ ରାଜ୍ୟର ସମସ୍ତ ଟ୍ରେଜେରୀମାନଙ୍କରେ ‘ଇ-ଭାଉଚର’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ‘୫ଟି’ ଉପକ୍ରମ ଅଧିନରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଦିନକୁ ଦିନ ରାଜ୍ୟ ସରକାରଙ୍କ ବଜେଟର ଆକାର ବୃଦ୍ଧି ପାଇବା ସହିତ ଫାଇନାନ୍ସିଆଲ ଟ୍ରାଞ୍ଜାକସନ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ସମୟର ଅପଚୟକୁ ରୋକିବା ଓ କାରବାର କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଥିଲେ । ଏନେଇ ଗତ ମାସରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ରାଜ୍ୟର ୧୬୯ଟି ଟ୍ରେଜେରୀକୁ ଅନଲାଇନରେ ଯୋଡ଼ିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନିଷ୍ପତ୍ତି ନେଇଥିଲା ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ପହିଲାରୁ ସାରା ରାଜ୍ୟରେ ‘ଇ-ଭାଉଚର’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଜନସାଧାରଣଙ୍କର ଦରମା, ଭତ୍ତା, ପେନସନ, ସରକାରୀ ଟ୍ରାଞ୍ଜାକସନ ଆଦି ବିଭିନ୍ନ ପ୍ରକାରର ଆର୍ଥିକ କାରବାର ପାଇଁ କାଗଜପତ୍ର ବ୍ୟବସ୍ଥା ଉଠିଯିବ । ତା’ ବଦଳରେ ଅନଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ସବୁ ଟ୍ରେଜେରୀରେ ଏହାକୁ ବାଧ୍ୟତାମୂଳକ କରିବା ପାଇଁ ପୂର୍ବରୁ କୁହାଯାଇଥିଲା । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ସରକାରୀ ଅଫିସରେ କାଗଜପତ୍ର ନଷ୍ଟ ହେବା ଓ ହଜିବା ସମସ୍ୟାରୁ ଆଉ ରହିବନି ।

Get real time updates directly on you device, subscribe now.