fbpx

ଏହା ଆତ୍ମବିଶ୍ୱାସ, ଅହଙ୍କାର ନୁହେଁ: ରାହୁଲଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦେଲେ ଜୟଶଙ୍କର

Advertisement

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାରତ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ରହିଥିବା ବେଳେ ଲଣ୍ଡନଠାରେ ସେ ଭାରତ ସରକାରଙ୍କ ଉପରେ ବର୍ଷିଥିଲେ । ‘ଆଇଡିଆଜ୍ ଫର ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାହୁଲ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ବ୍ୟୁରୋକ୍ରାଟମାନଙ୍କୁ କଡ଼ା ନିନ୍ଦା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ଅବସରରେ ରାହୁଲ କହିଥିଲେ ଯେ, ଭାରତୀୟ ବିଦେଶ ସେବା ପରିବର୍ତ୍ତନ ହୋଇଥିବା ନେଇ ମୋତେ ୟୁରୋପୀୟ ବ୍ୟୁରୋକ୍ରାଟମାନେ କହିଛନ୍ତି । ଭାରତୀୟମାନେ ଅହଙ୍କାରୀ ହୋଇଯାଇଛନ୍ତି । ସେମାନେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ରାହୁଲଙ୍କ ମନ୍ତବ୍ୟର କଡ଼ା ଜବାବ ଦେବାକୁ ଯାଇ ଜୟଶଙ୍କର କହିଥିଲେ ଯେ, ଏଇଟା ଭାରତୀୟଙ୍କର ଅହଙ୍କାର ନୁହେଁ । ବରଂ ଏହା ଆତ୍ମବିଶ୍ୱାସ, ଯାହାକି ଭାରତୀୟ ଅଧିକାରୀମାନେ ମୋଦୀ ସରକାରଙ୍କ ଶାସନ ସମୟରେ ଦେଖାଇଛନ୍ତି ।

ସେ ପୁଣି କହିଛନ୍ତି, ଭାରତର ବିଦେଶ ସେବା ପରିବର୍ତ୍ତନ ହୋଇଛି, ମାତ୍ର ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶକୁ ଅନ୍ଧଭାବେ ଗ୍ରହଣ କରୁନାହାନ୍ତି । ୟୁରୋପୀୟ ଅଧିକାରୀମାନେ ଭୁଲ୍ ମନ୍ତବ୍ୟ ଦେଇଛନ୍ତି । ଭାରତର ବୈଦେଶିକ ଅଧିକାରୀମାନେ ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ଏହି ଅବସରରେ ଜୟଶଙ୍କର ଟ୍ୱିଟରରେ ରାହୁଲଙ୍କର ଏକ ଭିଡିଓ କ୍ଲିପ୍ ଶେୟାର କରିଥିଲେ ।

ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ୟୁରୋପୀୟ ରାଷ୍ଟ୍ରମାନେ ରୁଷିଆଠାରୁ ଗ୍ୟାସ୍ ଆମଦାନୀ ଜାରି ରଖିଛନ୍ତି । ମାତ୍ର ଭାରତ ରୁଷିଆଠାରୁ ତୈଳ କିଣିବା ବନ୍ଦ କରୁ ବୋଲି ସେମାନେ ଚାହୁଁଛନ୍ତି । ମାତ୍ର ଭାରତ ଏହା କରୁ ନଥିବାରୁ ଅନେକ ଦେଶ ଭାରତ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି । ଅନ୍ୟପଟେ ରାହୁଲ ବିଦେଶ ଗସ୍ତରେ ଯାଇ ଭାରତ ସରକାରଙ୍କ ସପକ୍ଷରେ ମନ୍ତବ୍ୟ ଦେବା ବଦଳରେ ରାଷ୍ଟ୍ର ବିରୋଧୀ ଟିପ୍ପଣୀ ଦେବାରେ ଲାଗିଛନ୍ତି ।

Get real time updates directly on you device, subscribe now.