fbpx

ଗୋଟିଏ ପଟେ ଓମିକ୍ରନ ବଢ଼ୁଛି, ଅନ୍ୟପଟେ ରାଜ୍ୟରେ ସ୍କୁଲ ଖୋଲୁଛି, ଏହା ସଂକ୍ରମଣ ବଢ଼ାଇବନି ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ିଯାଇଛି । ଇତିମଧ୍ୟରେ ଓଡ଼ିଶାରେ ବତ୍ତର୍ମାନ ସୁଦ୍ଧା ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଧୀରେଧୀରେ ସଂକ୍ରମଣ ବଢ଼ୁଥିବାରୁ କିଛି ରାଜ୍ୟରେ କଟକଣା ଆରମ୍ଭ ହୋଇଗଲାଣି । ତେବେ ଏପରି ସ୍ଥଳେ ଆସନ୍ତା ୩ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ଯାଉଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି । ହୋଇପାରେ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା କାରଣରୁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହୋଇଛି, ମାତ୍ର ଆଗକୁ ଫେବୃଆରୀରେ ତୃତୀୟ ଲହର ଆଶଙ୍କା ରହିଥିବା ବେଳେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବର୍ତ୍ତମାନ ଛୋଟ ପିଲାଙ୍କ ପାଇଁ ଟିକା ଆସିନଥିବା ବେଳେ ସେମାନଙ୍କର ସ୍କୁଲ ଯିବା ଆସିବା ଅଭିଭାବକ ଠିକ ଭାବରେ କରିବା ଦରକାର । ରାଜ୍ୟରେ ସିନେମା ହଲ ଖୋଲିଥିବା ବେଳେ ସ୍କୁଲ ବନ୍ଦ ରଖିବାର କିଛି ଯଥାର୍ଥତା ନାହିଁ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଅପରପକ୍ଷେ ଦିଲ୍ଲୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି, ସ୍କୁଲ, କଲେଜ, ସିନେମା ହଲ, ପାର୍ଲର, ଦୋକାନ, ବଜାର ଆଦି ବନ୍ଦ କରାଯାଇଛି । ଗୋଟିଏ ରାଜ୍ୟରେ ସଂକ୍ରମଣ ବଢ଼ିଲେ ଆଗକୁ ଏହା ନିଶ୍ଚିତ ଭାବେ ଅନ୍ୟ ରାଜ୍ୟକୁ ବ୍ୟାପିବ, ଏନେଇ ରାଜ୍ୟ ସରକାର ବିଚାର କରିବା ଉଚିତ ବୋଲି ବିଭିନ୍ନ ମହଲରୁ କୁହାଯାଇଛି ।

Get real time updates directly on you device, subscribe now.