fbpx

ବୈଜ୍ଞାନିକଙ୍କ ଗବେଷଣା: ଆସିବ ମହାଭୂକମ୍ପ, ୧୦୦ ଫୁଟ ଉଚ୍ଚକୁ ଉଠିବ ସୁନାମୀ ଲହର, ୧୦ ହଜାର ଲୋକଙ୍କ ପ୍ରାଣହାନୀ ଘଟିବ!

ନୂଆଦିଲ୍ଲୀ: ଆମେରିକାର ପଶ୍ଚିମୀ ତଟରେ ସମୁଦ୍ର ଭିତରେ ଏକ ଫଲ୍ଟଲାଇନ ରହିଛି । ଏହି ଫଲ୍ଟଲାଇନ ଯେ କୌଣସି ଦିନ ଏକ ଭୟଙ୍କର ଭୂକମ୍ପ ଓ ସୁନାମୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି । ଏହି ଫଲ୍ଟ ଲାଇନର ଲମ୍ବ ୬୦୦ ମାଇଲ ବା ପାଖାପାଖି ୯୬୬ କିଲୋମିଟର ହୋଇଥିବା ବେଳେ ତାହା ଦକ୍ଷିଣୀ କାନାଡ଼ାଠାରୁ ଉତ୍ତରୀ କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ବ୍ୟାପିଛି । ଏହି ମହାଭୂକମ୍ପ ଦ୍ୱାରା ଭାଙ୍କୁବର, ସିଏଟଲ, ୱାଶିଂଟନ, ଓରେଗନ ଓ ସନ ଫ୍ରାନ୍ସିସସ୍କୋରେ ୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଦେଖାଦେଇପାରେ । ଏହାଦ୍ୱାରା ୧୦ ହଜାର ଲୋକଙ୍କର ପ୍ରାଣହାନୀ ହେବା ନେଇ ଆଶଙ୍କା କରାଯାଉଛି ।

ବୈଜ୍ଞାନିକମାନେ ନିକଟରେ ଏହି ସମୁଦ୍ରର ଏକ ନକ୍ସସା ପ୍ରସ୍ତୁତ କରି ଅଣ୍ଡରୱାଟର ମ୍ୟାପିଂ କରିଛନ୍ତି । ଉକ୍ତ ଅଞ୍ଚଳକୁ କାସ୍କାଡିଆ ସବଡକ୍ସନ ଜୋନ କୁହାଯାଏ । ସାଧାରଣ ଭାବେ ଫଲ୍ଟ ଲାଇନ ଦୁଇ ଭାଗରେ ବିଭାଗ ହୋଇଥିବା ବେଳେ ତାହା ଏକ ବଡ଼ ବିପଦର ସଙ୍କେତ ଦେଇଛି । ଯଦି ସେଠାରେ ଟେକ୍ଟୋନିକ ପ୍ଲେଟରେ ସାମାନ୍ୟ ହଲଚଲ ହୁଏ, ତେବେ ତାହା ଫଲ୍ଟ ଲାଇନରେ ଏକ ବଡ଼ ଅଞ୍ଚଳର ଭୂପୃଷ୍ଠରେ ସ୍ଥିତି ଭୟଙ୍କର କରିପାରେ । ସେଠାରେ ଗୋଟିଏ ଭୂକମ୍ପ ପରେ ଆହୁରି ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିବାର ଆଶଙ୍କା ରହିଛି । କାସ୍କାଡିଆ ସବଡକ୍ସନ ଜୋନର ଶକ୍ତି ଏତେ ଯେ ତାହା ୯ରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆଣିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

କାଲିଫର୍ଣ୍ଣିଆର ସନ ଏଣ୍ଡ୍ରିଆସ ଫଲ୍ଟ ଲାଇନ ନିକଟରେ ୮.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିବାର ସମ୍ଭାବନା ରହିଛି । ଏବେ ପ୍ରଶ୍ନ ଉଠୁଛି, ଯଦି ୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆମେରିକାର ପଶ୍ଚିମୀ ତଟରେ ଆସେ, ତେବେ ତା’ର ପ୍ରଭାବ କିପରି ରହିବ ଓ ତାହା କେତେ ଭୟଙ୍କର ହେବ? ଆମେରିକାର ପଶ୍ଚିମୀ ତଟରେ ୧୦୦ ଫୁଟ ବା ତା’ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ସୁନାମୀ ଲହରୀ ଆସିବ । ଏହି କାରଣରୁ ୧୦ ହଜାର ଲୋକଙ୍କର ପ୍ରାଣହାନୀ ହେବାର ଆଶଙ୍କା କରାଯାଉଛି । ଏଥିସହିତ କେବଳ ଓରେଗନ ଓ ୱାଶିଂଟନରେ ୮୦ ବିଲିୟନ ବା ୬.୬୮ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହେବ । ଏଥିସହିତ ଜମି ରହିଥିବା ପାଣି କାରଣରୁ ବିମାରୀ ବ୍ୟାପିବା ଫଳରେ ଅନେକଙ୍କର ମୃତ୍ୟୁ ମଧ୍ୟ ଘଟିବ । ସେଠାରେ ପଡ଼ି ରହିଥିବା ଶବଗୁଡ଼ିକରୁ ଅନେକ ବୀମାରୀ ଜନ୍ମନେବ ।

କାସ୍କାଡିଆ ସବଡକ୍ସନ ଜୋନ ପରି ଫଲ୍ଟ ଲାଇନ କାରଣରୁ ୨୦୧୧ରେ ଜାପାନରେ ଭୟଙ୍କର ଭୂକମ୍ପ ଓ ସୁନାମୀ ଆସିଥିଲା । ସେଥିପାଇଁ ୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆସିଥିଲା ଓ ତା’ପରେ ଭୟଙ୍କର ସୁନାମୀ ଆସିଥିଲା । ସେହି କାରଣରୁ ଜାପାନରେ ପାଖାପାଖି ୨୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ତେବେ କାସ୍କାଡିଆ ସବଡକ୍ସନ ଜୋନ ଆଗକୁ ଏପରି କିଛି କରିବ ବୋଲି ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ସାଧାରଣ ଭାବେ ପ୍ରତି ୫୦୦ ବର୍ଷରେ ଏପରି ଏକ ବୃହତ ଭୂକମ୍ପ ଆସିଥାଏ । ପୂର୍ବରୁ ବର୍ଷ ୧୭୦୦ରେ ତାହା ଆସିଥିବା ବେଳେ ଆଗକୁ କେବେ ଆସିବା ତାହା କହିବା ମୁସ୍କିଲ । ମାତ୍ର ଯେବେ ବି ଆସିବ ତା’ ନିଶ୍ଚିତ ଭାବେ ଅତ୍ୟନ୍ତ ଭୟଙ୍କର ହେବ । କାସ୍କାଡିଆର ୪ ଭାଗ ତାହାକୁ ଅନ୍ୟ ଫଲ୍ଟ ଲାଇନଠାରୁ ଅଧିକ ଭୟଙ୍କର କରିଥାଏ । ଏହା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.