fbpx

‘ନିଜକୁ ଫକୀର କହିବା ବନ୍ଦ କରନ୍ତୁ ମୋଦି’: ମର୍ସିଡିଜକୁ ନେଇ ସମାଲୋଚନା କଲେ ଶିବସେନା ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଫକୀର କହିବା ବନ୍ଦ କରନ୍ତୁ । ରବିବାର କିଛି ଏଭଳି କଥା କହି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଯେ ତାଙ୍କ ସୁରକ୍ଷାରେ ୧୨ କୋଟିର କାର୍ ସାମିଲ ହେବା ପରେ ଏବେ ତାଙ୍କୁ ଏହି ଶବ୍ଦର ବ୍ୟବହାର ନକରିବା ଉଚିତ୍ । ଶିବସେନାର ଏହାର ସାପ୍ତାହିକ ପତ୍ରିକା ‘ରୋକଠୋକ୍’ରେ ଏହି କଥା ଲେଖିଛନ୍ତି ସଞ୍ଜୟ ରାଉତ । ସେ ଭାରତରେ ତିଆରି କାର୍ ବ୍ୟବହାରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଜୀବନ ଉପରେ ବିପଦ ଥାଇ ମଧ୍ୟ ଶିଖ୍ ସୁରକ୍ଷାକର୍ମୀଙ୍କୁ ନ ହଟାଇବା ନିଷ୍ପତ୍ତିକୁ ନେଇ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି ।

ସେ ଲେଖିଛନ୍ତି ଡିସେମ୍ବର ୨୮ ରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୧୨ କୋଟିର କାର ବ୍ୟବହାର କରାଯିବାର ଖବର ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ‘ମୋଦି ନିଜକୁ ଫକୀର କହୁଛନ୍ତି, ପ୍ରଧାନସେବକ କହୁଛନ୍ତି କିନ୍ତୁ ବିଦେଶରେ ତିଆରି କାର୍ ବ୍ୟବହାର କରୁଛନ୍ତି । ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ଆରାମ୍ ଜରୁରୀ ହୋଇଥାଏ କିନ୍ତୁ ଏବେ ତାଙ୍କୁ ଫକୀର କହିବା ବନ୍ଦ କରିଦେବା ଉଚିତ୍ । ମୋଦି ସ୍ୱଦେଶୀ କଥା କହୁଛନ୍ତି, ମେକ ଇନ ଇଣ୍ଡିଆ ଷ୍ଟାର୍ଟ-ଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସେ ନିଜେ ବିଦେଶୀ କାର ବ୍ୟବହାର କରୁଛନ୍ତି ।’

ଏହା ସହ ଶିବସେନା ପ୍ରବକ୍ତା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଭାଜନ ପରେ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ ଜବାହାରଲାଲ ନେହେରୁ ସବୁବେଳେ ଭାରତରେ ତିଆରି ଆମ୍ବାସଡର କାର ବ୍ୟବହାର କରୁଥିଲେ । ସେହିଭଳି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ନିଜ ଜୀବନ ପ୍ରତି ବିପଦ ଥିଲେ ବି ଶିଖ୍ ସୁରକ୍ଷାକର୍ମୀଙ୍କୁ ବଦଳାଇନଥିଲେ ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମର୍ସିଡିଜ୍ ମେବେଚ ଏସ ୬୫୦ ଏସପିଜି ଦ୍ୱାରା ସାମିଲ କରାଯାଇଛି । ଏହାର ଦାମ୍ ୧୨ କୋଟି ବୋଲି ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି ।

Get real time updates directly on you device, subscribe now.