fbpx

ସିଗନାଲିଂ ବ୍ୟବସ୍ଥାର ସୁଦୃଢିକରଣ ଲାଗି ବଡ ପଦକ୍ଷେପ, ଏହି ସମ୍ବନ୍ଧିତ ପରିଯୋଜନା ଆର୍ଥିକ ରୂପରେ ଲାଭକାରୀ ହେବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଦେଶର ଭୀଷଣତମ ଟ୍ରେନ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା । ଏଥିରେ ସିଗନାଲିଂ ବ୍ୟବସ୍ଥାରେ ତ୍ରୁଟି କାରଣରୁ ୨୯୩ ଲୋକଙ୍କର ଅକାଳରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାର କିଛିଦିନ ପରେ ରେଲୱେ ବୋର୍ଡ ଇଣ୍ଡିଆନ ରେଲୱେ ଫାଇନାନସିଆଲ କୋଡ୍ କୁ ସଂଶୋଧିତ କରିବାକୁ ନିର୍ଣ୍ଣୟ ନେଇଥିଲେ । ଏହା ପଛରେ ଉଦ୍ଦେଶ୍ୟ ଥିଲା ସିଗନାଲ ସମ୍ବନ୍ଧିତ ପରିଯୋଜନା ଆର୍ଥିକ ରୂପରେ ଲାଭକାରୀ ହେବାର ଆବଶ୍ୟକତା ନାହିଁ ।

ସଂଶୋଧିତ ନିୟମରେ ସିଗନାଲିଂ ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୁରକ୍ଷା ଶ୍ରେଣୀରେ ସାମିଲ କରାଯିବ । ଏଣୁ ଏପରି କାର୍ଯ୍ୟରେ ସକରାତ୍ମକ ରିଟର୍ଣ୍ଣ ମିଳିବାର ଆବଶ୍ୟକତା ନାହିଁ । ରେଳବିଭାଗରେ ସମସ୍ତ ପରିଯୋଜନା କ୍ଷେତ୍ରରେ ଯେତିକି ନିବେଶ କରାଯାଏ ସେଥିରୁ ୧୨ ପ୍ରତିଶତ ରିଟର୍ଣ୍ଣ ମିଳିବାର ଅନୁମାନ ଲଗାଯାଏ । ଏହା ବ୍ୟତିତ ରେଳ ବିଭାଗର ଅଧିକାରୀ କହିଛନ୍ତି ଅଧିକ ବ୍ୟୟଯୁକ୍ତ ଅପଗ୍ରେଡ୍ ଯେପରିକି ଆଣ୍ଟି କୋଲିଜନ ସିଷ୍ଟମ କବଚ ଓ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସହ ସମ୍ବନ୍ଧିତ ପରିଯୋଜନା ଗୁଡିକୁ ମଧ୍ୟ ଆର୍ଥିକ ବ୍ୟବହାର୍ଯ୍ୟତା ପରୀକ୍ଷଣର ଆବଶ୍ୟକତା ନାହିଁ ।

ଏପରି ହେବା ଦ୍ୱାରା ସିଗନାଲିଂ ଓ ଟେଲିକମ୍ କାର୍ଯ୍ୟ ଲାଗି ଦ୍ରୁତ ଗତିରେ ପରିଯୋଜନାର ମଞ୍ଜୁରୀ ଓ କାର୍ଯ୍ୟାନ୍ୱୟନ ରାସ୍ତା ଖୋଲିଯିବ । ଉଦାହରଣ ସ୍ୱରୂପ କବଚ ସିଷ୍ଟମ ଇନଷ୍ଟଲ କରିବା ଲାଗି ପ୍ରତି କିଲୋମିଟର ପିଛା ଖର୍ଚ୍ଚ ୨୦ ଲକ୍ଷ ଟଙ୍କା ଆସିପାରେ । ଏହାକୁ ୩୪,୦୦୦ କିମି ରେଳ ଟ୍ରାକରେ କ୍ରମାନ୍ୱୟରେ ଇନଷ୍ଟଲ କରାଯିବାର ଯୋଜନା ରହିଛି । ଏହାକୁ ଏକ ସ୍ୱଦେଶୀ ସଞ୍ଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀରେ କାର୍ଯ୍ୟକାରୀ କରାଯିବ ଯାହା ୟୁରୋପରେ ଉତ୍ପାଦିତ ସମାନ ପ୍ରଣାଳୀ ଠାରୁ ଶସ୍ତା ରହିବ । ଏହା ସହିତ ମୋବାଇଲ୍ ଟ୍ରେନ୍ ସଞ୍ଚାର ପ୍ରଣାଳୀ ସମ୍ବନ୍ଧିତ ପରିଯୋଜନା, ରିମୋଟ୍ ଡାଇଗ୍ନୋଷ୍ଟିକ ଓ ପ୍ରଡକ୍ଟିଭ୍ ମେଣ୍ଟେନାନ୍ସ ସିଷ୍ଟମ ହାସଲ କରିବା ଲାଗି ପରିଯୋଜନା ଆର୍ଥି ରୂପରେ ଲାଭକାରୀ ହେବାର ଆବଶ୍ୟକତା ନାହିଁ ବୋଲି ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଏହା ସହିତ ରେଳ ବିଭାଗରେ ଟେକ୍ନୋଲଜି ଅପଗ୍ରେଡେସନ ମଧ୍ୟ ଆର୍ଥିକ ରୂପରେ ଲାଭକାରୀ ହେବାର ଚାପରୁ ମୁକ୍ତ ରହିବ । ଏହିପରି ଭାବରେ ଅଧିକାଂଶ ଉପସହର ଟ୍ରେନ ନେଟୱାର୍କ ଓ କେନ୍ଦ୍ରୀକୃତ ଯାତାୟତ ନିୟନ୍ତ୍ରଣ ପ୍ରଣାଳୀରେ ନିବେଶ ଉପରେ ଲାଭର ମାନଦଣ୍ଡକୁ ବଦଳାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.