ବାଃ ବାଃରେ କଳିଯୁଗର ପୁଅ, ରୂପା ଚୁଡ଼ି ପାଇଁ ମାଙ୍କ ଚିତାରେ ଶୋଇଲା ପୁଅ
ଶ୍ମଶାନରେ ଦେବାକୁ ପଡିଲା ଗହଣା, ତା ପରେ ଯାଇ ହେଲା ଅନ୍ତିମ ସଂସ୍କାର
ଓଡିଶା ଭାସ୍କର: ମଶାଣିରେ ଶବଦାହ କରିବା ପାଇଁ କାଠ ସଜା ସରିଥିଲା। ହେଲେ ଚିତାରେ ମୃତା ମା’ ବଦଳରେ ପୁଅ ଯାଇ ଶୋଇପଡିଲା। ପୁଅର ଏଭଳି କାର୍ଯ୍ୟ ଦେଖି ଆଖପାଖରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ବୁଢା ପୁଅର ଏ ପ୍ରକାର କାମ ମା’ ବିୟୋଗ ଦୁଃଖରେ ନଥିଲା ବରଂ ରୁପା ଚୁଡ଼ି ଲୋଭରେ ଥିଲା। ଯାହାକୁ ପାଇବା ପାଇଁ କଳିଯୁଗର ପୁଅ ମା’ ଅନ୍ତିମ ସଂସ୍କାରକୁ ରୋକିଦେଲା ।
ରାଜସ୍ଥାର ଜୟପୁରରେ 80ବର୍ଷୀୟା ମହିଳାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନିମନ୍ତେ ମୃତଦେହ ଶ୍ମଶାନକୁ ନିଆଯାଇଥିଲା, ଶବଦାହ କରିବା ନିମନ୍ତେ ଚିତା ଉପରେ କାଠ ମଧ୍ୟ ଲଦା ସରିଥିଲା। କିନ୍ତୁ ହଠାତ ମୃତ ମହିଳାଙ୍କ ଜାଗାରେ ତାଙ୍କ ପୁଅ ଚିତାରେ ଶୋଇପଡ଼ିଥିଲେ ।
ମେ 3 ତାରିଖ ଦିନ ମଧ୍ୟାହ୍ନ12ଟା ସମୟରେ ଜଣେ 80 ବର୍ଷୀୟା ଛିତର ରେଗରଙ୍କର ମୃତ୍ୟୁ ହୋଇଥିଲା । ମାଙ୍କ ମୃତ୍ୟୁ ପରେ ପୁଅମାନେ ଅନ୍ତିମ ସଂସ୍କାର ପାଇଁ ପାଖରେ ଥିବା ଶ୍ମଶାନକୁ ନେଇଯାଇଥିଲେ ।
ଲୋଭିପୁଅ:
ଶବଦାହ ସମୟରେ ପୁରୁଖା ଲୋକମାନେ ମୃତଦେହକୁ ଚିତାରେ ରଖିବା ପୂର୍ବରୁ ମହିଳା ଜଣଙ୍କ ପିନ୍ଧିଥିବା ଗହଣାକୁ କାଢ଼ିବାକୁ ବଡପୁଅ ଗିରିଧାରୀ ଲାଲଙ୍କୁ କହିଥିଲେ। ଏହା ଦେଖି ତାଙ୍କ ସାନ ଭାଇ ଓମପ୍ରକାଶ ରାଗିଯାଇଥିଲେ ।
ସେ ଚିତାରେ ଯାଇ ଶୋଇପଡି କହିଲେ ପ୍ରଥମେ ମତେ ମାଙ୍କ ରୁପା ଚୁଡ଼ି ଦିଅ , ଯଦି ତମେ ମତେ ଏହା ନଦେବ ତାହାଲେ ମୁଁ ଏଠାରୁ ଉଠିବି ନାହିଁ। ମୁଁ ନିଜକୁ ଏଠାରେ ଜାଳିଦେବି। ଶ୍ମଶାନରେ ପୁଅର ଏଭଳି କାର୍ଯ୍ୟ ଦେଖି ପୁରା ପରିବାର ଏବଂ ସମ୍ପର୍କୀୟ ସମସ୍ତେ ତାଙ୍କୁ ବୁଝାଇଲେ। ବୁଝାଇ କହିଲେ ଯେ, ଏପରି କର ନାହିଁ ପ୍ରଥମେ ମାଙ୍କ ଶେଷକୃତ୍ୟ କରିବାକୁ ଦିଅ।
ମଶାଣିରେ ଡ୍ରାମା:
ହେଲେ ଓମପ୍ରକାଶ କାହାରି କଥା ଶୁଣିନଥିଲା। ତା ପରେ ଲୋକମାନେ ଜବରଦସ୍ତି ଓମପ୍ରକାଶଙ୍କୁ ଚିତାରୁ ଉଠାଇ ଆଣିଲେ; ହେଲେ ସେ ପୁଣି ଯାଇ ଚିତାରେ ବସିପଡିଲେ । ଶେଷରେ ମା’ଙ୍କ ରୂପା ଚୁଡ଼ି ପୁଅକୁ ମିଳିବାର 2ଘଣ୍ଟା ପରେ ମା’ଙ୍କ ଶେଷକୃତ୍ୟ ହୋଇଥିଲା । ଏବେ ଏହି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।
ଗାଁ ଲୋକଙ୍କର କହିବା ଅନୁଯାୟୀ, ଗତ କିଛି ବର୍ଷ ଧରି ଓମପ୍ରକାଶ ଏବଂ ତାଙ୍କ ଅନ୍ୟ ଭାଇମାନଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଏହି କାରଣରୁ, ଓମପ୍ରକାଶ ଗାଁ ବାହାରେ ଏକ ଅଲଗା ଘରେ ରହୁଛନ୍ତି ।