fbpx

ବହୁରୂପୀ କରୋନା, ସିଙ୍ଗାପୁର ଷ୍ଟ୍ରେନ୍ ନେଇ ଚିନ୍ତା

ନୂଆଦିଲ୍ଲୀ: ବାରମ୍ବାର ରୂପ ବଦଳାଉଛି ମହାମାରୀ କରୋନା ଭାଇରସ୍ । ଏହାରି ମଧ୍ୟରେ ସିଙ୍ଗାପୁରରେ ଦେଖାଦେଇଛି ଏହି ଭୂତାଣୁର ନୂଆ ଷ୍ଟ୍ରେନ୍ । ଏଥିପ୍ରତି ସତର୍କ ନହେଲେ ଭାରତ ପାଇଁ ତୃତୀୟ ତରଙ୍ଗର ଆଶଙ୍କା ରହିଥିବା ଆଲୋଚନା ହେଉଛି । ଖାଲି ସେତିକି ନୁହେଁ, ଏହି ଷ୍ଟ୍ରେନ୍ ଶିଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

ସୂଚନା ଅନୁସାରେ B.1.617 ଭାରିଆଣ୍ଟ୍ ର ଏହି ନୂଆ ଷ୍ଟ୍ରେନ୍ ପାଇଁ ସିଙ୍ଗାପୁର ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେଠାକାର ପ୍ରଶାସନିକ ନିଷ୍ପତ୍ତି କ୍ରମେ ସମସ୍ତ ସ୍କୁଲ୍ ତଥା ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ସହ ଯୁବପିଢ଼ିଙ୍କୁ ଅଧିକରୁ ଅଧିକ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉଛି । ସିଙ୍ଗାପୁରର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କେନେଥ୍ ମାକ୍ ଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ୍ କହିଛନ୍ତି ଯେ B.1.617 ଷ୍ଟ୍ରେନ୍ ପ୍ରଥମେ ଭାରତରୁ ଚିହ୍ନଟ ହୋଇଥିଲା ଏବଂ ଏହା ପିଲାମାନଙ୍କ ପାଇଁ ଅଧିକ କ୍ଷତି ପହଞ୍ଚାଇବାର ଆଶଙ୍କା କରାଯାଉଛି । ଅନୁରୂପ ଭାବେ ସେଠାକାର ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଙ୍ଗ୍ କହିଛନ୍ତି ଯେ ଏହି ଷ୍ଟ୍ରେନ୍ ଦ୍ୱାରା ପିଲାମାନେ ଆକ୍ରାନ୍ତ ହେଲେ ଗୁରୁତର ଅସୁସ୍ଥ ହୋଇପଡ଼ିବାର ଆଶଙ୍କା ରହିଛି । ସେ ଏକ ଫେସବୁକ୍ ପୋଷ୍ଟ୍ ରେ ଉଲ୍ଲେଖ କରିଛନ୍ତି ଯେ ସରକାର ଏ ଦିଗରେ ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି ଏବଂ ୧୬ବର୍ଷରୁ କମ୍ ବୟସ ବର୍ଗଙ୍କୁ ଟିକାକରଣ ପାଇଁ ଯୋଜନା ଚାଲିଛି । ଏହି ଘୋଷଣା ପରେ ପରେ ସିଙ୍ଗାପୁର ଓ ତାଇୱାନ୍ରେ ସମସ୍ତ ସ୍କୁଲ୍ ମଙ୍ଗଳବାରଠାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

ପିଲାଙ୍କ ପାଇଁ ବିପଦ କି ଏହି ଷ୍ଟ୍ରେନ୍?

ଉହାମାରୀ କରୋନାର ଏହି ନୂଆ ରୂପ ପିଲାଙ୍କ ପାଇଁ ବିପଦ ସାବ୍ୟସ୍ତ ହେବା ନେଇ କୌଣସି ତଥ୍ୟ ଭିତ୍ତିକ ସରକାରୀ ପ୍ରମାଣ ଏଯାଏଁ ମିଳିନାହିଁ । ତେବେ କରୋନାର ସଂକ୍ରମଣ ଲାଗି ରହିଥିବାବେଳେ ଏହାର ନୂଆ ଷ୍ଟ୍ରେନ୍ ଅଧିକ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା କରାଯାଉଛି । ଏଥିପ୍ରତି ସତର୍କତା ଅବଲମ୍ବନ ସହ କୋଭିଡ୍ କଟକଣା ନିୟମ କଡ଼ାକଡ଼ି ଭାବେ ମାନିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।

କଣ ଘଟିଛି ଅଦ୍ୟାବଧି?

ଦେଶକୁ ତୃତୀୟ ଲହର ନଆସୁ, ଏଭଳି ସମସ୍ତ ଭାରତବାସୀଙ୍କ ଆଶା । କିନ୍ତୁ ପିଲାମାନେ ସଂକ୍ରମଣର ଶୀକାର ହେଲେଣି- ଏହି କଥାକୁ ସ୍ୱୀକାର କରିବାକୁ ହେବ । ସୂଚନା ଅନୁସାରେ କର୍ଣ୍ଣାଟକରେ ୧୫ ଦିନରେ ୧୯ହଜାର ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଦିଲ୍ଲୀରେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଶିଶୁଙ୍ ପ୍ରାଣ ହରାଇଛନ୍ତି ।  ଖାଲି ସେତିକି ନୁହେଁ, ଓଡ଼ିଶାରେ ମଧ୍ୟ ସେଭଳି ସ୍ଥିତି ଦେଖିବାକୁ ମିଳିଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସା ହେଉଥିବା ପ୍ରାୟ ୧୫ଜଣ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ମାସର ଶିଶୁ ମଧ୍ୟ ରହିଛନ୍ତି । ଅନ୍ୟପକ୍ଷରେ ସୁସ୍ଥ ହାରରେ ମଧ୍ୟ ବୃଦ୍ଧି ଘଟୁଛି । ୨ରୁ ୮ବର୍ଷର ଶିଶୁଙ୍କ ଟିକାକରଣ ପାଇଁ ଆଗାମୀ ୧୦ରୁ ୧୨ଦିନ ମଧ୍ୟରେ ଟ୍ରାଏଲ ଆରମ୍ଭ କରିବ କୋଭାକ୍ସିନ । ଏହାର ଟ୍ରାଏଲ ସଫଳ ହେଲେ ଶିଶୁମାନଙ୍କୁ ମଧ୍ୟ ଟିକାକରଣ କରାଯିବ ।

ଦିଲ୍ଲୀ ସରକାରଙ୍କ ଚେତାବନୀ

ସିଙ୍ଗାପୁର ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ସଚେତନ କରାଇଛନ୍ତି । ଏହା ଶିଶୁମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ ବୋଲି କହିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରସ୍ତୁତ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଭାରତ-ସିଙ୍ଗାପୁରର ସମସ୍ତ ବିମାନ ଚଳାଚଳରେ କଟକଣା ଲଗାଇବାକୁ କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.