ରିଲ୍ସ କରୁ କରୁ ଚାଲିଗଲା ଜୀବନ, ନଦୀରେ ବୁଡି 6 ମୃତ

ରିଲ୍ସ କରୁ କରୁ ନଦୀରେ ବୁଡି ଚାଲିଗଲା ଗୋଟିଏ ପରିବାରର 6ଜଣ ଝିଅଙ୍କ ଜୀବନ

ଉତ୍ତରପ୍ରଦେଶ: ରିଲ୍ସ କରିବା ନିଶା ସାଜିଲା କାଳ। ରିଲ କରୁ କରୁ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ।

ଆଜିର ଯୁବପିଢ଼ି ରିଲ୍ସ କରିବା ପାଇଁ ଏତେ ପାଗଳ ଯେ, ସେମାନେ ଆଉ ସ୍ଥାନ, କାଳ, ପାତ୍ର କିଛି ଦେଖୁ ନାହାଁନ୍ତି। ଯେଉଁଠି ପାରୁଛନ୍ତି ଫୋନ ଖଣ୍ଡେ ଧରି ସେଇଠି ରିଲ୍ସ ବନାଉଛନ୍ତି। ଅଧିକାଂଶ ମୃତ୍ୟୁ ଆଜିକା ସମୟରେ ଏହି କାରଣ ପାଇଁ ଦେଖିବାକୁ ମିଳୁଛି।

କଣ ଥିଲା ପୁରା ଘଟଣା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ରିଲ୍ସ କରିବାକୁ ଯାଇ ଯମୁନା ନଦୀରେ ବୁଡି ଗୋଟିଏ ପରିବାରର 6 ଜଣ ଝିଅଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସିକନ୍ଦରା ଥାନା ଅନ୍ତର୍ଗତ ସ୍ୱାମୀ ନାଗଲା ଗାଁ ନିକଟରେ ଘଟିଛି।

ରିଲ ସାଜିଲା କାଳ: ସୂଚନା ଅନୁସାରେ, ଗରମ ଯୋଗୁଁ ଏହି ଝିଅ ମାନେ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଇବା ପୂର୍ବରୁ ସେମାନେ ମୋବାଇଲରେ ରିଲ୍ସ କରିଥିଲେ। ନଦୀ ଭିତରେ ପଶି ରିଲ୍ସ କରୁଥିବା ସମୟରେ ପାଣିର ଗଭୀରତା ବିଷୟରେ ନଜାଣି ଆଗକୁ ଆଗକୁ ଚାଲିବାକୁ ଲାଗିଲେ।

ଫଳରେ ତାଙ୍କ ପାଦ ଏକ ଗାତ ଭିତରେ ପଶିଗଲା ଏବଂ ସମସ୍ତେ ବୁଡ଼ିବାକୁ ଲାଗିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଗଲାବେଳକୁ 4ଜଣଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ଆଉ 2 ଜଣଙ୍କର ଅବସ୍ଥା ଗୁରୁତର ଥିଲା। ତା ପରେ ସେମାନଙ୍କୁ ଏସ ଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା କିନ୍ତୁ ସେମାନେ ମଧ୍ୟ ବଞ୍ଚିଲେନି।

ମୃତ୍ୟୁ ହୋଇଥିବା ଝିଅଙ୍କ ବୟସ 10ରୁ 18 ବର୍ଷ ମଧ୍ୟରେ କୁହାଯାଉଥିବା ବେଳେ ସେମାନଙ୍କ ନାଁ ଦିବ୍ୟା, ସନ୍ଧ୍ୟା, ଶିବାନୀ, ନୈନା, ସୋନମ ଏବଂ ମୁସ୍କାନ ଜଣାପଡିଛି। ଏମାନେ ନଗଲା ସ୍ୱାମୀର ବାସିନ୍ଦା ବୋଲି କୁହାଯାଉଛି।

ଯେଉଁମାନେ ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ ସେମାନେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ ଏବଂ ତା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।