fbpx
BSKY
BJD MC SKY
BJD YOUTH SKY

ଅବିଶ୍ୱସନୀୟ ବିଶ୍ୱ ରେକର୍ଡ: ଡବଲ ହ୍ୟାଟ୍ରିକ, ୬ ବଲରେ ୬ଟି ୱିକେଟ ନେଲେ ବୋଲର

ନୂଆଦିଲ୍ଲୀ: କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । କ୍ରିକେଟ ଇତିହାସରେ ଏପରି ଅନେକ ରେକର୍ଡ ଲିପିବଦ୍ଧ ହୋଇଥିବା ବେଳେ କିଛି ରେକର୍ଡ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଅତୁଟ ରହିଥାଏ । ତେବେ ଏହା ମଧ୍ୟରେ ଏକ ଅବିଶ୍ୱସନୀୟ ରେକର୍ଡ ସାମ୍ନାକୁ ଆସିଛି । ଜଣେ ବୋଲର ଗୋଟିଏ ଓଭରରେ ଡବଲ ହ୍ୟାଟ୍ରିକ ଅର୍ଜନ କରିଛନ୍ତି । ୬ଟି ବଲରେ ୬ଟି ୱିକେଟ ନେଇ ଜଣେ ଖେଳାଳି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ।

ସୂଚନା ମୁତାବକ, ଅଷ୍ଟ୍ରେଲିଆର ଜଣେ କ୍ଲବ କ୍ରିକେଟର ଏହି ବଡ଼ ରେକର୍ଡ ହାସଲ କରିଛନ୍ତି । ଗାରେଥ ମୋର୍ଗାନ ନାମକ ଜଣେ ବୋଲର ଗୋଲ୍ଡ କଷ୍ଟ ପ୍ରିମିୟର ଲିଗ ଡିଭିଜନ-୩ ଟୁର୍ଣ୍ଣାମେଣ୍ଟରେ ଏହି ବିରଳ ସଫଳତା ହାସଲ କରିଛନ୍ତି । ନଭେମ୍ବର ୧୧ ତାରିଖରେ ମୁଦଗିରବା ନେରାଙ୍ଗ ଆଣ୍ଡ ଡିଷ୍ଟ୍ରିକ୍ଟସ କ୍ରିକେଟ କ୍ଲବ ଓ ସରଫର୍ସ ପ।।ଡାଇଜ୍ ମଧ୍ୟରେ ମୁକାବିଲ ହୋଇଥିଲା । ମୋର୍ଗାନ ୭ ଓଭର ବୋଲିଂ କରି ୧୬ ରନ୍ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ ।

ମୁଦଗିରବା ଟିମର ଅଧିନାୟକ ମୋର୍ଗାନ ଡବଲ ହ୍ୟାଟ୍ରିକ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ମୁଦଗିରବା ୪୦ ଓଭରରେ ୧୭୯ ରନ ଟାର୍ଗେଟ ଦେଇଥିଲା । ତେବେ ପାରାଡାଇଜ୍ ୩୯ ଓଭରରେ ୪ଟି ୱିକେଟ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଏହାପରେ ୬ଟି ବଲରୁ ବିଜୟ ପାଇଁ ୫ ରନ୍ ଆବଶ୍ୟକ ହେଉଥିବା ବେଳେ ମୋର୍ଗାନ ନିଜର ବୋଲିଂର ଯାଦୁ ବଳରେ ପ୍ରତିପକ୍ଷଙ୍କଠାରୁ ମ୍ୟାଚ ଛଡ଼ାଇ ଆଣିଥିଲେ । ପୋଶାଦାର କ୍ରିକେଟରେ ପୂର୍ବରୁ ଗୋଟିଏ ଓଭରରେ ୫ଟି ୱିକେଟ ନେବାର ରେକର୍ଡ ରହିଛି । ମାତ୍ର ଗୋଟିଏ ଓଭରରେ ୬ଟି ୱିକେଟ ନେବା ଏହା ପ୍ରଥମ ଥର ପାଇଁ ଘଟିଛି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ, ବାଂଲାଦେଶ ଓ ଭାରତର ବୋଲରମାନେ ଗୋଟିଏ ଓଭରରେ ୫ଟି ୱିକେଟ ଅକ୍ତିଆର କରି ନିଜ ନାମରେ ରେକର୍ଡ ସ୍ଥାପନ କରିଥିଲେ ।

Get real time updates directly on you device, subscribe now.