(Video) ମାଆ, ତୋ ପାଇଁ କିଏ ଥାଉ ବା ନଥାଉ ତୋ ପୁଅ ଅଛି ପରା, ମୁଁ ଦୁଇ ହାତରେ ତୋର କୋକେଇକୁ ଶ୍ମଶାନକୁ ନେବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଆ ତୁ ଜମା ବ୍ୟସ୍ତ ହୁଅନି । ତୋ ପାଖରେ ତୋର ପୁଅ ଅଛି ପରା । ଏ ଦୁନିଆ ତୋର ଶବକୁ ଚାରି କାନ୍ଧ ନଦେଲେ ନାଇଁ କ’ଣ ହେଲା, ତୋ ପୁଅର ଦୁଇ ହାତ ଅଛି ପରା । ମାଆର ଶବକୁ ଶ୍ମଶାନକୁ ନେବାକୁ ଆଜି ପୁଅ ନିଜେ ସଂଘର୍ଷ କରୁଛି । ଧନ୍ୟରେ ଦୁନିଆ । ଆଜି ବି ଆମ ସମାଜରେ ଏଭଳି ଘଟଣା ଘଟୁଛି । ତଥାପି ପୁଅ ହାର ମାନି ନାହିଁ । ପୁଅଟି ତା’ର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମା’ ପାଇଁ ଲଢ଼େଇ କରୁଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ । ଗ୍ରାମର ଜଣେ ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ପରେ ତାଙ୍କର ଶବକୁ କେହି ଛୁଇଁ ନଥିଲେ । ଛୁଅାଁ ଅଛୁଅାଁ ଆଗରେ ସତେ ଯେମିତି ହାର ମାନିଥିଲା ମାନବିକତା । କିନ୍ତୁ ହାର ମାନିନଥିଲା ପୁଅ । ଦୁନିଆ ପର କରିଦେଲା ବୋଲି ସେ କ’ଣ ତା’ର ଜନ୍ମଯାତ୍ରୀ ମାଆକୁ ପର କରିପାରିବ । ସେ ନିଜର ସମସ୍ତ ଶକ୍ତି ଖଟାଇ ମାଆକୁ ଶ୍ମଶାନକୁ ନେବାକୁ ପ୍ରୟାସ କରିଥିଲା । ଏହାପରେ ପୁଅ ଓ ବୋହୂ ମିଶି ମାଆକୁ ଶ୍ମଶାନକୁ ନେବାକୁ ପ୍ରୟାସ କରିଥିଲେ । ତଥାପି ଅଧା ବାଟରେ ମାଆର ଶବଟି କୋକେଇରୁ ଖସି ପଡ଼ିଥିଲା । ଏଭଳି ଅନେକ କଷ୍ଟ ସ୍ୱୀକାର କରିଥିଲେ ପୁଅ-ବୋହୂ ।

ତେବେ ଏଭଳି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଜଣେ ବୃଦ୍ଧାଙ୍କର ମୃତ୍ୟୁ ପରେ ତାଙ୍କୁ ଯଦି ଚାରି କାନ୍ଧ ନ ମିଳିବ, ଏହାଠାରୁ ଲଜ୍ଜାଜନକ କଥା ଆଉ କ’ଣ ହୋଇପାରେ । ପୁଅ ଅନ୍ୟ ଜାତିର ଘରେ ଖାଇବାକୁ ଯାଇଥିଲା । ତାଙ୍କର କେବଳ ଏତିକି ହିଁ ଦୋଷ ଥିଲା । ଏହି ଦୋଷ ପାଇଁ ପରିବାର ଭୋଗିଥିଲା କଠିନ ଶାସ୍ତି । ଏଠି ସମାଜରେ ଆଗରେ ଜାତି ବଡ଼, ଜଣେ ମାଆର ମୃତ୍ୟୁର ମୂଲ୍ୟ କିଛି ନାହିଁ ।